ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି । ଯେଉଁଠି ବସି ପିଲାମାନେ ପାଠ ପଢ଼ୁଛନ୍ତି, ଠିକ୍ ସେହି ସ୍ଥାନରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ବି ଯୋଗାଇ ଦିଆଯାଉଛି । ପ୍ରଶାସନ ଓ ଶିକ୍ଷା ବିଭାଗ ଏ ସମ୍ପର୍କରେ ଅବଗତ ଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ୧୯୮୦ ମସିହାରେ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର କଟାଦୂରବନ୍ଧ ଗାଁରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିଥିଲେ ରାଜ୍ୟ ସରକାର । ତେବେ, ସରକାରଙ୍କ ଉପରେ ନିର୍ଭର ନକରି ଉତ୍ସାହିତ ଗ୍ରାମବାସୀ ଏଥିପାଇଁ ଝାଟିମାଟି ଘର ନିର୍ମାଣ କରିଥିଲେ । ଗାଁକୁ ଶିକ୍ଷକ ଆସି ସେହି ଝାଟିମାଟି ଘରେ ପିଲାମାନଙ୍କୁ ପାଠ ବି ପଢ଼ାଇଥିଲେ । ପରବର୍ତ୍ତୀ ସମୟରେ ନକ୍ସଲଙ୍କ ଦ୍ବାହିଦେଇ ସରକାର ବିଦ୍ୟାଳୟର କୋଠା ନିର୍ମାଣ କରିନଥିଲେ । ଇତି ମଧ୍ୟରେ ୪୨ ବର୍ଷ ବିତିଯାଇଥିଲେ ବି ବିଦ୍ୟାଳୟ ପାଇଁ କୋଠା ନିର୍ମାଣ ହୋଇନଥିବା ଗ୍ରାମବାସୀ କହିଛନ୍ତି ।
ଅନ୍ୟପକ୍ଷରେ, କିିଛି ବର୍ଷ ମଧ୍ୟରେ ଝାଟିମାଟି ଘର ଭାଙ୍ଗିଯିବାରୁ ଶିକ୍ଷାଦାନ ପ୍ରଭାବିତ ହେଲା । ଏହିଭଳି ଏକ ପରିସ୍ଥିତିରେ ଗ୍ରାମର ଜଣେ ମୁଖିଆ ଶ୍ରେଣୀର ବ୍ୟକ୍ତି ବାବୁ ରାଓ ନିଜ ଘର ବାରଣ୍ଡାକୁ ପିଲାଙ୍କ ପାଠପଢ଼ା ପାଇଁ ଛାଡ଼ି ଦେଇଛନ୍ତି । ସେହି ବାରଣ୍ଡାରେ ଏବେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୭ ଜଣ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ । ସେହିପରି, ଗାଁରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବି ସରକାରଙ୍କ କୌଣସି ଭିତ୍ତିଭୂମି ନାହିଁ । ତେଣୁ ବାବୁ ରାଓଙ୍କ ବାରଣ୍ଡାରେ ସରକାର ନିଯୁକ୍ତ କରିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇ ଦେଉଛନ୍ତି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଏହି ଗାଁରେ ୪୨ ବର୍ଷ ହେଲା ବିଦ୍ୟାଳୟ ନିର୍ମାଣ ହୋଇନଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।
ଏନେଇ ଡିପିଇପି କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସ୍କୁଲ ଗୃହ ନିର୍ମାଣ ନିମନ୍ତେ ବହୁ ବର୍ଷ ତଳେ ଅନୁଦାନ ମିଳିଥିଲା । ତେବେ, କୋଠା ନିର୍ମାଣ ନହେବାରୁ ଅନୁଦାନ ଫେରି ଯାଇଥିଲା । ଚିତ୍ରକୋଣ୍ଡା ବିଇଓ ଗାୟତ୍ରୀ ଦେବୀ ମଧ୍ୟ ବାରଣ୍ଡାରେ ବିଦ୍ୟାଳୟ ଚାଲିଥିବା ଏବଂ ସ୍ଥାୟୀ କୋଠା ନଥିବା ସ୍ବୀକାର କରିଛନ୍ତି । ଏହି ବିଷୟରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।
