ପୁରୀ : ଜୁଲାଇ ୯ ତାରିଖରେ ବାହୁଡ଼ାଯାତ୍ରା । ଜୁଲାଇ ୮ ତାରିଖରେ ଭକ୍ତଙ୍କୁ ଶେଷ ଦର୍ଶନ ଭାବେ ସଂଧ୍ୟା ଦର୍ଶନରେ ଆଡ଼ପମଣ୍ଡପରୁ ଦର୍ଶନ ଦେଇ ପୁଣି ଶ୍ରୀମନ୍ଦିର ଫେରିବେ ମହାବାହୁ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥ ଦକ୍ଷିଣ ମୋଡ଼ ନେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତିନି ରଥ ଦକ୍ଷିଣମୋଡ଼ ନେବା ପୂର୍ବରୁ ବୈଷୟିକ କମିଟି ପକ୍ଷରୁ ତିନି ରଥର ଯାଞ୍ଚ କରାଯାଇଛି । ଶ୍ରୀମନ୍ଦିର କୋର କମିଟି ସଦସ୍ୟ ଏନ୍ ସି ପାଲ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ତିନି ରଥର ମୁଖ୍ୟ ବିଶ୍ବକର୍ମା ବିଜୟ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ମହାରଣା ଓ ନରସିଂହ ମହାପାତ୍ରଙ୍କ ଉପସ୍ଥିତିରେ ତିନି ରଥ ଯାଞ୍ଚ କରିଛନ୍ତି । ରଥ ଚକ, ଅଖ, ଦଣ୍ଡା ସହ ଉପର ଅଂଶର ସ୍ଥିତି ଯାଞ୍ଚ କରିଛନ୍ତି । ଯାଞ୍ଚ ବେଳେ ତିନି ରଥରୁ ଦୁଇ ରଥର ଚକରେ ଫାଟ ରହିଥିବା ଜଣାପଡ଼ିଛି । ବଡ଼ଠାକୁର ବଳଭଦ୍ରଙ୍କ ପଡ଼ିନାହାକା ଚକର ପଇରେ ଫାଟ ରହିଥିବାବେଳେ ଦେବଦଳନ ରଥର ବଡ଼ଉଛୁଳା ଚକରେ ଫାଟ ରହିଛି । ଆଜି ରେଳ ବିଭାଗ ସହଯୋଗରେ ତିନି ରଥର ଆବଶ୍ୟକ ମରାମତି କରାଯିବ ବୋଲି ଜଣାପଡ଼ିଛି ।
ଏ ସମ୍ପର୍କରେ ଶ୍ରୀ ପାଲ କହିଛନ୍ତି, ଯାଞ୍ଚ ବେଳେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ତିନୋଟି ସ୍ଥାନରେ ଓ ମା’ ସୁଭଦ୍ରାଙ୍କ ଦେବଦଳନ ରଥର ଦୁଇଟି ସ୍ଥାନରେ ଫାଟ ଦେଖାଦେଇଛି । ଏହା ସେଭଳି କିଛି ବଡ଼ ସମସ୍ୟା ସୃଷ୍ଟି କରିବନି । ଆଜି ଠାରୁ ଏହାର ମରାମତି ଆରମ୍ଭ ହୋଇଯିବ ଶ୍ରୀ ପାଲ କହିଛନ୍ତି । ଅନ୍ୟପଟେ ପ୍ରତିବର୍ଷ ଭଳି ରେଳ ବିଭାଗ ପକ୍ଷରୁ ବଡ଼ ଜଗ ଆସି ରଥ ଟେକା ଯିବା ପରେ ୟୁ-କ୍ଲାମ୍ପ୍ ଓ ଏଲ୍-କ୍ଲାମ୍ପ୍ ଲଗାଯାଇ ଫାଟ ମରାମତି କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରଥଯାତ୍ରା ପୂର୍ବରୁ ନନ୍ଦିଘୋଷ ରଥର ଅଖ ଭାଙ୍ଗି ଯାଇଥିଲା । ବୈଷୟିକ କମିଟି ଯାଞ୍ଚ କରି ଏହାକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା । ନୂଆ ଅଖ ଲାଗିବା ପରେ ତିନି ରଥ ଗଡ଼ିଥିଲା ।
