ଵଣାଇ : ଅବକାରୀ ବିଭାଗର ବାରମ୍ବାର ଚଢ଼ାଉ ଓ ଗିରଫଦାରୀ ସତ୍ତ୍ବେ ଵଣାଇ ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ମହୁଲି ମଦ ତିଆରି କାରବାର ଥମୁନଥିବା ଜଣାପଡିଛି ।
ବର୍ତ୍ତମାନ ପାର୍ବଣ ୠତୁ ଚାଲିଥିବା ବେଳେ ଗ୍ରାମାଞ୍ଚଳରୁ ବିଭିନ୍ନ ଉପାୟରେ ସହର ମଧ୍ୟକୁ ମହୁଲି ମଦ ପ୍ରବେଶ କରୁଥିବା ବେଳେ, ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ସହିତ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ଦେଖିବାକୁ ମିଳିଛି ।
ଆଜି କୈାଣସି ସୂତ୍ରରୁ ମଦ ଚୋରା ଚାଲାଣ ହେଵାର ଖବର ଵଣାଇ ଅବକାରୀ ବିଭାଗ ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିକଟରେ ପହଞ୍ଚିଥିଲା । ସୂଚନା ଅନୁସାରେ ତାଙ୍କ ଟିମ୍ କୁ ନେଇ ଵଣାଇ ଗୁରୁଣ୍ଡିଆ ପୂର୍ତ ବିଭାଗ ରାସ୍ତାର ତୁରାମୁରା ଛକ ନିକଟରେ ମଦ ଚୋରା ଚାଲାଣ ଧରିବାକୁ ଛକି ରହିଥିଲେ । ଅଳ୍ପ ସମୟ ପରେ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ତୁମ୍ଵେଇ ଗ୍ରାମର ଶିଶୁ ଦିବସ ଚରଣ ମୁଣ୍ଡା, ବୟସ (୩୯) ଏକ ହିରୋହୋଣ୍ଡା ସିଡି ଡିଲକ୍ସ ମୋଟର ସାଇକେଲ ନଂ(OR-14Q 7314) ଯୋଗେ ଦେଶି ମହୁଲି ମଦ ବାଇକ୍ ଡିକିରେ ଭର୍ତ୍ତି କରି ନରେନ୍ଦ୍ର ଅଭିମୁଖେ ଆସୁଥିବା ବେଳେ, ହଠାତ୍ ଅବକାରୀ ବିଭାଗ ଟିମ୍ ଅତର୍କିତ ଚଢ଼ାଉ କରି ତାକୁ କାବୁ କରି ୨୦ ଲିଟର ଦେଶୀ ମଦ ଓ ବାଇକ୍ କୁ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।
ଏହି ଚଢାଉ ସମୟରେ ଵଣାଇ ଅବକାରୀ ବିଭାଗ ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକ, ହେମ ମଞ୍ଜରୀ ବିଶ୍ୱାଳ, ବିମ୍ବାଧର ସାହୁ, ଉଗ୍ରସେନ ବେହେରା, ସ୍ବୟଂ ସୁଧା ସାହୁ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ପରେ ଗିରଫ ଚରଣ ମୁଣ୍ଡାକୁ ଵଣାଇ ଅବକାରୀ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
