ବାଲିଆପାଳରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ଉପରେ ମିଳିତ ବିଭାଗୀୟ ସମନ୍ୱୟ ସଭା ଅନୁଷ୍ଠିତ

ବାଲିଆପାଳ : ବାଲିଆପାଳ ବ୍ଲକ ସଭାଗୃହ ପରିସରରେ ଗୁରୁବାର ଶିଶୁ ସୁରକ୍ଷା, ଶିଶୁ ଅଧିକାର ଉପରେ ମିଳିତ ବିଭାଗୀୟ ଅଫିସର ଓ କର୍ମକର୍ତ୍ତାଙ୍କୁ ନେଇ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱାସ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ ସମାଜରୁ ଶିଶୁ ନିର୍ଯ୍ୟାତନାକୁ ହଟାଇବା ସହିତ କମ ବୟସର ଝିଅମାନଙ୍କର ବିବାହକୁ ସମ୍ପୂର୍ଣ୍ଣ ଭାବରେ ରୋକାଯାଇ ପାରିବ, ସେ ଦିଗରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଦରକାର । ପ୍ରତି ମାସରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ କରିବା ପାଇଁ ସେ କହିଥିଲେ । ଅତିଥି ଭାବରେ ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ, ବାଲିଆପାଳ ଥାନାର ମହିଳା ଓ ଶିଶୁ ବିଭାଗ ଡେ଼କ୍ସ ଦାୟିତ୍ୱରେ ଥିବା ଏସଆଇ ସସ୍ମିତା ମଲ୍ଲିକ, ବାଲିଆପାଳ ସମନ୍ନିତ ଶିଶୁ ବିକାଶ ଅଧିକାରିଣୀ ରାଜଶ୍ରୀ ମହାପାତ୍ର, ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବେଣୁଧର ହୋଇ, ବ୍ଲକ ଶିକ୍ଷାଅଧିକାରୀ ସୁଧାଂଶୁ ଶେଖର ଜେନା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ କୁମାର ନାୟକ, ଚାଇଲ୍ଡ  ଲାଇନର ମୁଖ୍ୟ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ ଶିଶୁ ଅଧିକାର ଏବଂ ସୁରକ୍ଷା ପାଇଁ ଆମେ ସମସ୍ତେ ସଚେତନ ହେବା ଦରକାର । ସମାଜରେ ନିତି ଘଟୁଥିବା ଶିଶୁ ଯୌନ ନିର୍ଯାତନାକୁ କିପରି ସମୂଳେ ନିପାତ କରାଯିବା ସହିତ ନାବାଳିକା ବିବାହକୁ ରୋକାଯିବ ସେ ଦିଗରେ ସମସ୍ତେ ତତ୍ପରତା ଦେଖାଇବା ଉଚିତ । ସମାଜରେ ଏଭଳି ବ୍ୟାଧିକୁ କେହି ବି ପ୍ରଶ୍ରୟ ଦେବା ଉଚିତ ନୁହେଁ ବୋଲି ଅତିଥିମାନେ କହିଥିଲେ ।

ପିକକ ଓ ୱାଲଡ଼ ଭିଜନ ସହାୟତାରେ ମେ ଆଇ ହେଲ୍ପ ୟୁ ପରିଚାଳନାରେ ଏବଂ ବାଲିଆପାଳ ବିଶ୍ୱାସ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବାଲିଆପାଳ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପୂର୍ଣ୍ଣ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇସିଡିଏସର ସମସ୍ତ ସୁପରଭାଇଜର, ଅଙ୍ଗନୱାଡି କର୍ମି, ଆଶା, ଶିକ୍ଷକ, କିଶୋର ଓ କିଶୋରୀ, ବାଳକ ବାଳିକା, ପଞ୍ଚାୟତରାଜ ଲୋକ ପ୍ରତିନିଧି ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମେ ଆଇ ହେଲ୍ପ ୟୁର ସମ୍ପାଦକ ଉବାଚକ ମହାନ୍ତି ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ଆଲୋଚନା କରିବା ସହିତ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଷଦ ଭାବରେ ବର୍ଣ୍ଣନା କରିଥିଲେ । ଶେଷରେ ସୁପରଭାଇଜର ଅରଶ୍ମିତା ଜେନା ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *