ଭୁବନେଶ୍ବର : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତିନି ଦିନ ବର୍ଷିବ ନିଆଁ । ୮ ରୁ ୧୦ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି । ୮ ରେ ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର ଓ ସମ୍ବଲପୁର ଏବଂ ୯ ରେ ବରଗଡ, ସବୁର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର ଓ ନୂଆପଡା ଏବଂ ୧୦ ରେ ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲାରେ ଗ୍ରୀଷ୍ମ ଲହରୀର ସମ୍ଭାବନା ରହିଥିବା ସତର୍କତା ଜାରି କରାଯାଇଛି । ଏହି ୩ ଦିନ ଦିନ ୧୧ଟା ରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଶିଶୁ, ବୃଦ୍ଧ ଓ ଅସୁସ୍ଥଙ୍କର ଯତ୍ନ ନେବାକୁ କୁହାଯାଇଛି । ଅନ୍ୟପକ୍ଷରେ ଆଜି ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । କେତେକ ସ୍ଥାନରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ବୌଦ୍ଧରେ ସର୍ବାଧିକ ୪୨.୫, ନୂଆପଡ଼ା ୪୨.୪, ସୁନ୍ଦରଗଡ଼ ୪୨, ଝାରସୁଗୁଡ଼ା ୪୧.୬, ସମ୍ବଲପୁର ୪୧, ବାରିପଦା, ନୟାଗଡ଼ ଓ ଯାଜପୁରରେ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ଼ କରାଯାଇଛି । ଭୁବନେଶ୍ବରରେ ୩୬.୬ ଏବଂ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ରାଜ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି । ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ।
