ବର୍ଷା ପାଣିରେ ଭାସୁଛି ଚାଷୀର ସୁନାର ଫସଲ

ବେଗୁନିଆ : ସାମୁଦ୍ରିକ ବାତ୍ୟା ଜୱାଦ ବେଗୁନିଆ ଅଞ୍ଚଳର ଚାଷୀମାନଙ୍କ ମୁଣ୍ଡରେ ଚଡକ ହୋଇ ପଡିଛି। ବେଗୁନିଆ ବ୍ଲକର ଲୋକମାନେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି । ବ୍ଲକ ଅଞ୍ଚଳରେ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଅଧିକ ଅଟେ । ଚଳିତ ବର୍ଷ ବର୍ଷା ଆଦୋୖ ଠିକ ଭାବରେ ହୋଇ ନଥିବାବେଳେ ବହୁ ବିଳମ୍ବରେ ଧାନ ବୁଣା କାର୍ଯ୍ୟ ହୋଇଥିବାବେଳେ ବିହୁଡା ଏବଂ ରୁଆ କାର୍ଯ୍ୟ ମଧ୍ୟ ବହୁ ବିଳମ୍ବରେ ହୋଇଥିଲା । ବାତ୍ୟା ପୂର୍ବରୁ ଅକ୍ଟୋବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଧାନ ଚାଷକୁ କୃଷି ବିଭାଗ ଏବଂ ବୀମା ନିଗମ ନଜର ଅନ୍ଦାଜ କରିଥିବା ବେଳେ, ଏବେ ଜୱାଦ ଯୋଗୁଁ ବିଲରେ ପାଚିଲା ଧାନ ଭାସୁଛି । ସେଥିରୁ ଚାଷୀ ତାର ବର୍ଷକର ଆହାର ସଂଗ୍ରହ କରିଥାନ୍ତା । ଚାଷୀମାନେ ଘରକୁ ଧାନ ଅମଳ କରି ନେବାକୁ ଥିବାବେଳେ ପ୍ରକୃତି ତା’ ପାଇଁ ଦାଉ ସାଧିଛି । ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି । ଯାହା ଫଳରେ ଚାଷୀମାନେ ଏବେ ଘୋର ଚିନ୍ତାରେ । ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ, ଶଗଡ଼ଭଙ୍ଗା ପଞ୍ଚାୟତର ଧାନ ବିଲରେ ଏବେ ବି ବର୍ଷା ଜଳ ଲହଡି ମାରୁଛି । ଚାଷ ଜମିରୁ ଜଳ ନିଷ୍କାସନ ହୋଇ ପାରୁନାହିଁ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ଚାଷୀ ଦେବରାଜ ବେହେରା, ନକୁଳ ପଟନାୟକ, ପବିନ ବେହେରା, ଅପର୍ତ୍ତି ବାହୁବଳେନ୍ଦ୍ର, ସନ୍ତୋଷ କୁମାର ପ୍ରଧାନ, ସତ୍ୟବାନ ମୁଦୁଲି ଏବଂ ସର୍ବେଶ୍ୱର ସିଂ ପ୍ରମୁଖ ଦାବି କରିଛନ୍ତି । ନଚେତ ସେମାନେ ବେଗୁନିଆ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *