ନିଜ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକଜୁଟ୍‌ ହେଉଛନ୍ତି ମାଓସେନା

ନୂଆପଡ଼ା : ଗତ ୨ ବର୍ଷ ହେଲା ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓ ସଂଗଠନର ସ୍ଥିତି ଦୁର୍ବଳ ଥିଲା । ପୁଣିଥରେ ସେମାନେ ନିଜ ସଂଗଠନ ସୁଦୃଢ଼ କରିବା ପାଇଁ ଏକଜୁଟ୍‌ ହେଉଥିବା ସୂଚନା ମିଳିଛି । ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ମାଓ କ୍ୟାମ୍ପ୍‌ ଠାବ ହେବାପରେ ଏକଥା ସ୍ପଷ଼୍ଟ ହୋଇଛି । କ୍ୟାମ୍ପରୁ ବିପୁଳ ସାମଗ୍ରୀ ଏପରିକି ୨ଟି ଟିଫିନ୍‌ ବୋମା ବି ଜବତ ହୋଇଛି । କିଛି ଦିନ ତଳେ ଅଭୟାରଣ୍ୟର ଝୋଲପଡ଼ା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ୫୦ ରାଉଣ୍ଡ୍‌ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରୁ ଜଣାପଡ଼ୁଛି ଯେ ମାଓବାଦୀମାନେ ନିଜ ସଂଗଠନକୁ ସକ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସୁନାବେଡ଼ା ଅଭୟାରଣ୍ୟର ୫୦ ପ୍ରତିଶତ ଅଞ୍ଚଳ ଓଡ଼ିଶାରେ, ବଳକା ଛତିଶଗଡ଼ ରାଜ୍ୟରେ ରହିଛି । ୨୦୦୭ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏହି ଅଞ୍ଚଳ ସୁନାବେଡ଼ା-ମେନପୁର ଡିଭିଜନ୍‌ର ମୁଖ୍ୟଗଡ଼ ରହିଥିଲା । ଅଭୟାରଣ୍ୟଟି ୨ଟି ରାଜ୍ୟକୁ ସଂଯୋଗ କରୁଛି । ଘଞ୍ଚ ଜଙ୍ଗଲ ହୋଇଥିବାରୁ ମାଓବାଦୀମାନେ ଏହାକୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି । ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଅଞ୍ଚଳର ମାଓବାଦୀମାନେ ଠୁଳ ହୋଇ ଓଡ଼ିଶାକୁ ପ୍ରବେଶ କରିଥାନ୍ତି । ଅଭୟାରଣ୍ୟଟି ବିଭିନ୍ନ ଜିଲ୍ଲା ସହିତ ସଂଲଗ୍ନ ରହିଛି । ଫଳରେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲା‌ରେ ପ୍ରବେଶ କରିଥାନ୍ତି । ସଂଗଠନ ସୁଦୃଢ଼ କରିବା ପାଇଁ ବିଭିନ୍ନ ଉପାୟରେ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଆକୃଷ୍ଟ କରୁଛନ୍ତି । କିଛି ବର୍ଷ ମଧ୍ୟରେ ସୁନାବେଡ଼ା, ସୋସେଙ୍ଗ, ବାରକୋଟ, ଧରମବନ୍ଧା, ଭଇଷାଁଦାନୀ, ସିନାପାଲିରେ ସିଆର୍‌ପିଏଫ ‌କ୍ୟାମ୍ପ ସ୍ଥାପିତ ହୋଇଛି । ଏଥିପାଇଁ ମାଓ ସଂଗଠନ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ପୂର୍ବ ଭଳି ଅଞ୍ଚଳବାସୀଙ୍କ ସମର୍ଥନ ବି ଆଉ ମିଳୁନାହିଁ । ମାଓବାଦୀଙ୍କ ପ୍ର‌ରୋଚନାରେ ସ୍ଥାନୀୟ ଲୋକମାନେ କିଭଳି ନ ଆସିବେ ସରକାର ମଧ୍ୟ ବିଭିନ୍ନ ଉନ୍ନୟନ ମୂ​ଳକ ଯୋଜନା ପ୍ରସ୍ତୁତି କରୁଛନ୍ତି । ପ୍ରକାଶ ଯେ, ଏହି ଅଭୟାରଣ୍ୟରେ ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ୩୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି ।

Leave a Reply

Your email address will not be published. Required fields are marked *