ଚୋରା ପିସ୍ତଲ ଓ ଗୁଳି ଜବତ

ଛେଣ୍ଡିପଦା : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡି ଅନ୍ତର୍ଗତ ପାଟକୁମୁଣ୍ଡା ପଞ୍ଚାୟତର କେର୍ଜେଙ୍ଗ ଗ୍ରାମ ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ଏସଟିଏଫ ଓ ଛେଣ୍ଡିପଦା ପୁଲିସ ମିଳିତ ଭାବେ ଚଢ଼ଉ କରି ୮ ଟି ଚୋରା ଦେଶୀ ପିସ୍ତଲ ଓ ୭ ଗୁଳି ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଚୋରା ପିସ୍ତଲ ବେପାରୀଙ୍କୁ ପୁଲିସ ଗିରଫ କରିଛି । ଗିରଫ ବେପାରୀ ହେଲେ ଛେଣ୍ଡିପଦା ସୀମାନ୍ତରେ ଥିବା ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ସରାପାଲି ଗ୍ରାମର ରତ୍ନାକର କାଲଟା(୨୮) । ଭୁବନେଶ୍ୱର ଏସଟିଏଫ ଦେବଗଡ଼ ଜିଲା ରିଆମାଳ ବ୍ଳକର ବୁଢ଼ାପାଳ ଓ ଛେଣ୍ଡିପଦା ବ୍ଳକର କେର୍ଜେଙ୍ଗ ରାସ୍ତାରେ ଚୋରା ବନ୍ଧୁକ କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏସଟିଏଫର ଏକ ଦଳ ଅନୁଗୋଳ ଜିଲା ପୁଲିସ ସହାୟତାରେ ଉକ୍ତ ରାସ୍ତାରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଛେଣ୍ଡିପଦାର କେର୍ଜେଙ୍ଗ ଓ ବୁଢ଼ାପାଳ ମଧ୍ୟରେ ଜନୈକ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ଛିଡା ହୋଇଥିଲା । ଏହା ଦେଖି ପୁଲିସ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲା । ସେ ପିସ୍ତଲ ଦେଖାଇ ଖସିଯିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ କାବୁ କରିଥିଲା । ଏହାପରେ ପୁଲିସ ତଲାସି କରିବା ପରେ ତା’ ନିକଟରୁ ୮ ଟି ଦେଶୀ ବନ୍ଧୁକ ଓ ୭ ଟି ଗୁଳି ସହିତ ମୋବାଇଲ ଫୋନକୁ ଜବତ କରିଥିଲା । ଏସଟିଏଫ ଦଳ ରତ୍ନାକରକୁ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଛେଣ୍ଡିପଦା ପୁଲିସର ଜିମା ଦେଇଥିଲେ । ଏ ନେଇ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ଛେଣ୍ଡିପଦା ଥାନା କେସ ନଂ, ୫୮୯ ରେ ମାମଲା ରୁଜୁ କରିବା ସହିତ ଧାରା ୧୯୫୯ ଅସ୍ତଶସ୍ତ୍ର ନିରୋଧକ ଆଇନ ଅନୁଯାୟୀ ମାମଲା ରୁଜୁ କରିବା ସହିତ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସଙ୍କୁ ଘଟଣାର ଅଧିକ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଛେଣ୍ଡିପଦା ପୁଲିସ ପିସ୍ତଲ ବେପାରୀ ରତ୍ନାକରକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତ ପରେ ସମସ୍ତ ବିଷୟରେ ଜଣାପଡିବ ବୋଲି ଛେଣ୍ଡିପଦା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *