ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ବଡ ସଫଳତା । ଘର ଭିତରୁ ୧ କୋଟି ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆ ଫେରାର । ଖବର ଅନୁଯାୟୀ, ବିପୁଳ ପରିମାଣର ଗଞ୍ଜେଇ ଗଛିତ ରଖାଯାଇଥିବା ଏକ ଘର ଉପରେ ଚଢାଉ କରିଛି ମାଛକୁଣ୍ଡ ପୋଲିସ । କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡ଼ିପିଓଙ୍କ ନେତୃତ୍ଵରେ ଏହି ଚଢାଉ ହୋଇଥିଲା । ମାଛକୁଣ୍ଡ ଓ ଲମତାପୁଟ ପୋଲିସ ୧୦ ଜଣିଆ ଟିମ୍ ଗଠନ କରି ବାଲେଲ ଗାଁରେ ଥିବା ଏକ ଘରେ ଚଢ଼ାଉ କରିଥିଲେ । ଘର ଭିତରୁ ୫୮ ବସ୍ତା ଗଂଜେଇ ଜବତ ହୋଇଛି । ଯେଉଁଥିରେ ୧ ଟନ୍ ୩ କ୍ବିଣ୍ଟାଲ ୫୭ କେଜି ଗଞ୍ଜେଇ ଗଛିତ ରହିଥିଲା । ପୋଲିସ ଗାଁରେ ପହଞ୍ଚିବା ଦେଖି ମାଫିଆମାନେ ଫେରାର ହୋଯାଇଥିଲେ । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୩୫ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ନନ୍ଦପୁର ଏସଡ଼ିପିଓ କହିଛନ୍ତି ପୂର୍ବ ସୂଚନା ଆଧାରରେ ଗଛିତ ଗଞ୍ଜେଇ ଜବତ କରିବାରେ ସଫଳତା ମିଳିଛି । ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଦୁଇ ମାଫିଆଙ୍କ ନାମ ଗୋପନ ରଖାଯାଇଛି । ଖୁବ୍ ଶୀଘ୍ର ଗିରଫ କରାଯିବ ।
