ଭୁବନେଶ୍ବର : ଭୁବନେଶ୍ବର ଟ୍ରେଜେରି ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଜଣେ ସରକାରୀ କର୍ମଚାରୀଙ୍କର ୧୦ ଲକ୍ଷ ଟଙ୍କା ଗାଏବ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି । ନା କୌଣସି ମେସେଜ୍ ନା କୌଣସି ସୂଚନା । କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୧୦ ଲକ୍ଷ ୧୦ ହଜାର ଟଙ୍କା । ଠକେଇର ଶିକାର ଅନୁଜ ତ୍ରିପାଠୀ ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି । ଏହା ପଛରେ ବ୍ୟାଙ୍କର କୌଣସି କର୍ମଚାରୀଙ୍କର ହାତ ଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ । ମିଳିଥିବା ସୂଚନା ଅନୁସାରେ, ଅନୁଜଙ୍କର ଟ୍ରେଜେରି ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଥିବା ଏହି ଆକାଉଣ୍ଟକୁ ଦରମା ଆସେ । ୨୦୧୯ ମାର୍ଚ୍ଚ ୧୫ ରେ ସନ୍ଦେହଜନକ ଭାବେ ତାଙ୍କ ଡେବିଟ୍ କାର୍ଡରୁ ୨ ହଜାର ଟଙ୍କା କାରବାର ନେଇ ମେସେଜ୍ ଆସିଥିଲା । ସେ ଏହା ଜାଣିବା ପରେ ୧୬ ତାରିଖରେ ବ୍ୟାଙ୍କ ଶାଖାକୁ ଯିବା ସହ ଡେବିଟ୍ କାର୍ଡକୁ ବ୍ଲକ୍ କରି ଦେଇଥିଲେ । ଯାଞ୍ଚ ପରେ ବ୍ୟାଙ୍କ ପକ୍ଷରୁ ପୁଣି ଏପ୍ରିଲରେ କାର୍ଡ ଚାଲୁ ହୋଇଥିଲା । କିନ୍ତୁ ୩୦ରୁ ଅଧିକ କାରବାରରେ ୧୦ ଲକ୍ଷ ୧୦ ହଜାର ଟଙ୍କା ଆକାଉଣ୍ଟରୁ ଗାଏବ ହୋଇଯାଇଛି । ଡେବିଟ୍ କାର୍ଡ ଓ ପେ-ଟିଏମ୍ ଜରିଆରେ ଏହି ସବୁ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି । ଠକେଇ ସଂକ୍ରାନ୍ତରେ ଅନୁଜ ବ୍ୟାଙ୍କ କର୍ତ୍ତୃପକ୍ଷ, ଆରବିଆଇ ଅମ୍ବୁଡସମ୍ୟାନଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରି ସାରିଛନ୍ତି । ସାଇବର ପୁଲିସର ତଦନ୍ତ ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି କୁହାଯାଉଛି ।
