ଛାତ୍ରୀଙ୍କୁ ପାସ୍ କରାଇ ଦେବେ କହି ହୋଟେଲ୍ ରୁମ୍ କୁ ଡାକିଥିଲେ ଅଧ୍ୟାପକ

ନୀଳଗିରି : ନୀଳଗିରି କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ । ଜଣେ ଛାତ୍ରୀଙ୍କୁ ପାସ୍ କରାଇ ଦେବାକୁ କହି ହୋଟେଲ୍ ରୁମ୍ ଯିବାକୁ ଅଧ୍ୟାପକ ଡାକିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ ଆଣି ଅଧ୍ୟାପକଙ୍କୁ ମାଡ ମାରିଛନ୍ତି । ଅପର ପକ୍ଷରେ ଅଧ୍ୟାପକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୁଁ ସେଭଳି କିଛି କହି ନାହିଁ ବୋଲି ଅଧ୍ୟାପକ କହିଛନ୍ତି । ତେବେ ଏହି ଘଟଣା ପରେ ନୀଳଗିରି କଲେଜର ପ୍ରିନ୍ସିପାଲ ଦମୟନ୍ତୀ ପ୍ରଧାନ ସମ୍ପୃକ୍ତ ଅଧ୍ୟାପକଙ୍କୁ କାର୍ଯ୍ୟାଳୟକୁ ଡାକି ତାଗିଦ୍ କରିଛନ୍ତି । ଖବର ଅନୁଯାୟୀ, ନୀଳଗିରି କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଅମର ବଲ୍ଳଭ ପଣ୍ଡାଙ୍କ ବିରୋଧରେ ଜଣେ ଛାତ୍ରୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ଯୁକ୍ତ ଦୁଇ ଛାତ୍ରୀଙ୍କୁ ଏକ କୋଚିଂ ସେଣ୍ଟରରେ ପରୀକ୍ଷାରେ ପାସ୍ କରାଇ ଦେବେ ବୋଲି କହି ହୋଟେଲ୍ ଡାକିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣଙ୍କ ତାଙ୍କ ଘରେ ଜଣାଇଥିଲେ । ଏହାପରେ ମଙ୍ଗଳବାର ସକାଳେ ଅଧ୍ୟାପକ କୋଚିଂ ସେଣ୍ଟର ଯାଇଥିବା ବେଳେ ଛାତ୍ରୀଙ୍କ ସମ୍ପର୍କୀୟ ଅଧ୍ୟାପକଙ୍କ ଉପରେ ବର୍ଷିଥିଲେ । ଏସମ୍ପର୍କରେ ନୀଳଗିରି କଲେଜର ପ୍ରିନ୍ସିପାଲ ଦମୟନ୍ତୀ ପ୍ରଧାନ ଜାଣିବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ କାର୍ଯ୍ୟାଳୟକୁ ଡାକି ତାଗିଦ୍ କରିଛନ୍ତି । ସେପଟେ ଅଧ୍ୟାପକ ଅମର ବଲ୍ଲଭ ପଣ୍ଡା ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ସେପରି କିଛି କହିନାହିଁ । ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା । ଛାତ୍ରୀ ଜଣଙ୍କ ତିନି ଚାରି ଦିନ ତଳେ କ୍ଲାସ ନକରି ମୋବାଇଲ୍‌ରେ ଗପୁଥିଲେ । ଏହା ଦେଖି ହୋଟେଲ୍ ଚାଲି ଯାଉନୁ ଗପିବୁ ବୋଲି କହିଥିଲି । ଏହା ମୋ ପାଟିରୁ ସ୍ଲିପ୍ ହୋଇଯାଇଛି । ତେବେ ଏହି ଘଟଣା ନେଇ ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *