ନୂଆ ଧରଣର ସାଇବର ଠକେଇ

ଭୁବନେଶ୍ବର :  ରାଜଧାନୀରେ ସାମନାକୁ ଆସିଛି ଏକ ନୂଆ ଧରଣର ସାଇବର ଠକେଇ ଘଟଣା । ଏଥର ସାଇବର ଠକେଇର ସମ୍ମୁଖୀନ ହୋଇଛନ୍ତି ଅତିରିକ୍ତ ମହାନିର୍ଦେଶକ ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀ । ୨୦୧୯ ରୁ ଏପର୍ଯ୍ୟନ୍ତ ଶ୍ରୀମତୀ ତ୍ରିପାଠୀଙ୍କ ଜମାଖାତାରୁ ୩୧ ଥରରେ ୧୦.୧୦ ଲକ୍ଷ ଟଙ୍କା ସାଇବର ଅପରାଧୀ ନେଇ ଯାଇଛନ୍ତି । କିଛି ଦିନ ତଳେ ଏସମ୍ପର୍କରେ ସେ ଜାଣିବା ପରେ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ । ପରେ ରିଜର୍ଭ ବ୍ୟାଙ୍କ ଏବଂ କଟକ ସାଇବର ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ୨୦୧୯ ମାର୍ଚ୍ଚ ୧୬ ରେ ତାଙ୍କ ଜମାଖାତାରୁ ସନ୍ଦେହଜନକ ଭାବେ ୨୦୦୦ ଟଙ୍କା କଟି ଯାଇଥିବାର ଏକ ବାର୍ତ୍ତା ଆସିଥିଲା । ଏନେଇ ସେ ବ୍ୟାଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ତାଙ୍କ ଏଟିଏମ୍‌ କାର୍ଡକୁ ଅଚଳ କରି ଦେଇଥିଲେ । ଅନୁଧ୍ୟାନ କରାଯିବା ପରେ ପୁଣି ଏପ୍ରିଲ୍‌ ୨୬ ରେ ତାଙ୍କ କାର୍ଡକୁ ପୁନଃ ଚାଲୁ
କରାଯାଇଥିଲା । ଏହା ପରଠାରୁ ତାଙ୍କ ଜମାଖାତା ସମ୍ପର୍କରେ ଆଉ କୌଣସି ବାର୍ତ୍ତା ‌ମୋବାଇଲ୍‌ ଫୋନ୍‌କୁ ଆସୁ ନ ଥିଲା । ‌ନିକଟରେ ସେ ତାଙ୍କ ଏଟିଏମ୍‌ କାର୍ଡକୁ ଯାଞ୍ଚ କରିବା ବେଳେ ସନ୍ଦେହଜନକ ଭାବେ ବହୁ ପରିମାଣରେ ଅର୍ଥ କମିଯାଇଥିବା ଜାଣିଥିଲେ । ତୁରନ୍ତ ଏନେଇ ବ୍ୟାଙ୍କ ସହିତ ଯୋଗାଯୋଗ କରିବା ବେଳେ ୩୧ ଥରରେ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା କଟି ଯାଇଛି । ଏମିତିକି ଥରକୁ ୯୦,୦୦୦ ଟଙ୍କା କଟିଥିବା ଜଣାପଡିଛି । ଏସ୍‌ବିଆଇର ଏହି ବ୍ୟାଙ୍କ ଜମାଖାତାରେ ତାଙ୍କର ଦରମା ଆସିଥାଏ । ତେଣୁ ସେ ଏହାକୁ ସବୁ ସମୟରେ ଯାଞ୍ଚ କରିପାରନ୍ତି ନାହିଁ । ଦୀର୍ଘ ଦିନ ବ୍ୟବଧାନ ପରେ ସେ ଏହି ଠକେଇ ସମ୍ପର୍କରେ ଅବଗତ ହୋଇଥିଲେ । ଦୁଇ ବର୍ଷ ତଳେ ଥରେ ସେ ସଞ୍ଚାର ମାଧ୍ୟମରେ ଗଙ୍ଗାଜଳ ମଗାଇଥିଲେ । ଏହି ମାଧ୍ୟମରେ ତାଙ୍କର ଠକେଇ ହୋଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି । ତାଙ୍କ ଏଟିଏମ୍ କାର୍ଡର ନକଲ କରାଯାଇ ଏହି ଠକେଇ କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି । ବରିଷ୍ଠ ପୁଲିସ ଅଧିକାରୀଙ୍କର ଏହି ଠକେଇ ହୋଇଥିବାରୁ ସାଇବର ଥାନା ତଦନ୍ତ କିଭଳି କରୁଛି ତା ଉପରେ ସମସ୍ତଙ୍କର ନଜର ରହିଛି । ଗତ ସପ୍ତାହରେ ଅପରାଧ ନିୟନ୍ତ୍ରଣ ଶାଖାର ଅତିରିକ୍ତ ମହାନିର୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ସାମାଜିକ ଗଣମାଧ୍ୟମରେ ଟଙ୍କା ମାଗି ଜଣେ ସାଇବର ଅପରାଧୀ ଅଡୁଆରେ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *