କମିବ ଶୀତ, ୨୭ ଓ ୨୮ ରେ ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ କମୁଛି । ଫଳରେ ରାତି ତାପମାତ୍ରା ଆସନ୍ତାକାଲିଠାରୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଯଦ୍ଦ୍ବାରା ଶୀତ ପ୍ରକୋପ ହ୍ରାସ ପାଇବ । ୨୭ ଓ ୨୮ ରେ ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଫୁଲବାଣୀରେ ରାତି ତାପମାତ୍ରା ୬.୫ ଡିଗ୍ରୀ ରହିଛି । ପୁଣିଥରେ ରାଜ୍ୟର ଥଣ୍ଡା ସ୍ଥାନ ଭାବେ ଫୁଲବାଣୀ ପରିଗଣିତ ହୋଇଛି । ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଡିସେମ୍ବର ୧୯ ରୁ ଲାଗି ରହିଥିବା ଶୀତ ଲହରୀରେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀକୁ ଖସି ଆସିଥିଲା । ରାତି ତାପମାତ୍ରା ବଢ଼ିବା ଦ୍ବାରା ଦାରିଙ୍ଗବାଡି ଓ ଫୁଲବାଣୀରେ ଶୀତ ପ୍ରକୋପ କମୁଛି ।  ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୧ ରୁ ୨.୪ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୦.୨ ରୁ ୨.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏଥିରେ କୌଣସି ପରବର୍ତ୍ତନ ହେବା ସମ୍ଭାବନା କମ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ କଟକ ଜିଲାର ଗୋଟିଏ ରୁ ଦୁଇଟି ସ୍ଥାନରେ କୁହୁଡି ଦୃଶ୍ୟମାନ ହୋଇପାରେ । ୨୭ ରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଏବଂ ଦେବଗଡ ଜିଲାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନ ରହିଛି । ୨୮ ରେ ବର୍ଷା ପରିମାଣ ବୃଦ୍ଧି ପାଇପାରେ । ଏହି ଦିନ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ଜିଲାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *