ଯାଜପୁର : ବହୁଚର୍ଚ୍ଚିତ ନଗଡ଼ାର ଏକ ରାସ୍ତା କାମରେ ଏକ ବଡ଼ଧରଣର ଦୁର୍ନୀତି ! ଖଣିଜ ପାଣ୍ଠି ଅନୁଦାନ (ଡିଏମ୍ଏଫ୍)ରେ ନିର୍ମିତ ଏହି ରାସ୍ତା ପାଇଁ ୨ଟି ଟେଣ୍ଡର କରାଯାଇଥିବାବେଳେ ୧୦ ଟି ଗୁପ୍ତ ଟେଣ୍ଡର କରାଯାଇଛି । ରାସ୍ତା ନିର୍ମାଣ କାମ ପାଇଁ ଯନ୍ତ୍ରୀମାନଙ୍କ ଦ୍ବାରା ଆକଳନ ପ୍ରସ୍ତୁତି ହୋଇ ଜିଲ୍ଲାପାଳ ଅନୁମୋଦନ କରିସାରିଲା ପରେ ପୁଣି ସେହି ରାସ୍ତାରେ ଏକାଧିକ ଗୁପ୍ତ ଟେଣ୍ଡର କରାଯାଇ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ୍ ଜରିଆରେ ଆତ୍ମସାତ୍ କରାଯାଇଛି । ଯାଜପୁର ଆରଡି ଡିଭିଜନ ଅନ୍ତର୍ଗତ ଡୁବୁରୀ ସବ୍ଡିଭିଜନ ଅନ୍ତର୍ଗତ ସୁକିନ୍ଦା ବ୍ଲକ୍ର ଅଶୋକଝର ପାହାଡ଼ଠାରୁ ତଳନଗଡା ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ କରାଯାଉଛି । ଏଥିପାଇଁ ଖଣିଜ ପାଣ୍ଠି ଅନୁଦାନ(ଡିଏମ୍ଏଫ୍)ରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି । ୨୦୧୬ -୧୭ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୮ ସେପ୍ଟେମ୍ବର ୨୦୧୬ ରେ ଟେଣ୍ଡର ଡାକିଥିଲେ । ଦୁଇ ଜଣ ଠିକା ସଂସ୍ଥା ଅଂଶଗ୍ରହଣ କରିଥିବାବେଳେ ଟେଣ୍ଡର ମୂଲ୍ୟ ଠାରୁ ମାତ୍ର ୨ ପ୍ରତିଶତ କମ୍ ମୂଲ୍ୟରେ ୧୨ କୋଟି ୯୫ ଲକ୍ଷ ୭୧ ହଜାର ୨୭୭ ଟଙ୍କାରେ ଠିକାସଂସ୍ଥା ଟେଣ୍ଡର ହାତେଇଥିଲା । ୧୦ ଡିସେମ୍ବର ୨୦୧୬ ରେ ରାସ୍ତା କାମ ଆରମ୍ଭ କରିବା ପାଇଁ ଚୁକ୍ତି କରି ( ଚୁକ୍ତି ନଂ-୭୯ ପି-୧/୨୦୧୬-୧୭ ) ୩୦ ଜାନୁଆରି ୨୦୧୮ ରେ ଠିକାସଂସ୍ଥା କାମ ଶେଷ କରିଥିଲା । ପୁଣି ଏହି ରାସ୍ତା କାମ ସଂପୂର୍ଣ୍ଣ କରିବା ପାଇଁ ୧୦ ଜୁଲାଇ ୨୦୨୦ ରେ ଯାଜପୁର ଆରଡି ଡିଭିଜନର ନିର୍ବାହୀ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଡୁବୁରୀ , କନିଷ୍ଠ ଯନ୍ତ୍ରୀ ଟମକାଙ୍କ ଦ୍ବାରା ଆକଳନ ପ୍ରସ୍ତୁତ କରଯାଇଥିଲା । ଏହି ଆକଳନକୁ ଜୁଲାଇ ୨୦୨୦ ମସିହାରେ ଯାଜପୁର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ ତଥା ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିର ମୁଖ୍ୟ କାର୍ଯ୍ୟ ନିର୍ବାହୀଙ୍କ ଠାରୁ ପ୍ରଶାସନିକ ଅନୁମୋଦନ ପାଇଲା ପରେ ୨୦୨୦ -୨୧ ଆର୍ଥିକ ବର୍ଷ ପାଇଁ ଟେଣ୍ଡର ଡକାଯାଇଥିଲା । ଏହି ଟେଣ୍ଡରରେ ୧୧ ଟି ଠିକା ସଂସ୍ଥା ଅଂଶଗ୍ରହଣ କରିଥିଲେ । ଟେଣ୍ଡର ମୂଲ୍ୟ ଠାରୁ ୧୪.୯୯ ପ୍ରତିଶତ କମ୍ ମୂଲ୍ୟରେ ୯ କୋଟି ୪୩ ଲକ୍ଷ ୬୪ ହଜାର ୨୫୪ ଟଙ୍କାରେ ଏକ ଠିକାସଂସ୍ଥା ନଭେମ୍ବର ୨୦୨୦ ରେ ଟେଣ୍ଡର ହାତେଇ ଥିଲା । ୧୫ ଡିସେମ୍ବର ୨୦୨୦ ମସିହାରେ ଠିକାସଂସ୍ଥା ଚୁକ୍ତି ( ଚୁକ୍ତି ନଂ- ୪୨ ପି -୧ / ୨୦୨୦-୨୧) କରି କାମ ଆରମ୍ଭ କରିଥିଲା । ପୁଣି ଏହି ରାସ୍ତାକୁ ମରାମତି କରିବା ପାଇଁ ୧୦ ଟି ଗୁପ୍ତ ଟେଣ୍ଡର କରାଯାଇ ୪୪ ଲକ୍ଷ ୨୦ ହଜାର ୧୯୦ ଟଙ୍କା ଖର୍ଚ୍ଚ ହୋଇଛି । ଆହୁରି ବି ୨୦୨୦-୨୧ ଆର୍ଥିକ ବର୍ଷ ଚୁକ୍ତି ନମ୍ବର ୫ ରୁ ୧୪ ମୋଟ ୧୦ ଟି ରିଚ୍ (୫ ଲକ୍ଷ ଟଙ୍କା ରୁ କମ୍ ) କରାଯାଇଛି । ଏହି ରାସ୍ତା ମରାମତି କାମ ଅଗଷ୍ଟ ରୁ ଆରମ୍ଭ ହୋଇ ସେପଟେମ୍ବର ୨୦୨୦ ରେ ଶେଷ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇ ଅନୁଦାନ ହଡ଼ପ ହୋଇଛି । ଫଳରେ, ଏହି ରାସ୍ତା ନିର୍ମାଣ ପାଇଁ ୨ ଟି ଟେଣ୍ଡର ଓ ୧୦ ଟି ଗୁପ୍ତ ଟେଣ୍ଡର କରାଯାଇଥିବା ଜଣାପଡ଼ିଛି । ସମାନ ଆର୍ଥିକ ବର୍ଷରେ ଟେଣ୍ଡର ହୋଇଥିବା ରାସ୍ତାରେ ପୁଣି ମରାମତି ଆଳରେ କାହିଁକି ଗୁପ୍ତ ଟେଣ୍ଡର କରାଗଲା ? ଯାହାକି ତଦନ୍ତ ସାପେକ୍ଷ । ନଗଡ଼ା ବିକାଶ ନାମରେ ଗତ ୫ ବର୍ଷ ଭିତରେ ବିଭିନ୍ନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ପାଣି ଭଳି ବ୍ୟୟ ହୋଇଚାଲିଛି । ତଥାପି ଅବସ୍ଥାରେ ସୁଧାର ଆସୁନି । ନଗଡ଼ା ଅଞ୍ଚଳର ୫୨ ଟି ପରିବାର ପାଇଁ ବିଭିନ୍ନ ବିଭାଗରୁ ୫୨ କୋଟିରୁ ଅଧିକ ଟଙ୍କା ବ୍ୟୟ ହେଲାଣି । ଏବେ ବି ଏହି ପରିବାରଗୁଡ଼ିକ ମୁଖ୍ୟସ୍ରୋତରେ ସାମିଲ ହୋଇପାରିନାହାନ୍ତି । ଏଠାରେ କୋଟି କୋଟି ଟଙ୍କାର ଶ୍ରମଭିତ୍ତିକ ବିକାଶ କାମ ହେଉଥିବାବେଳେ ସ୍କୁଲ ପିଲାମାନେ ଦାଦନ ଖଟିବାକୁ ବାହାରକୁ ଯାଇଥିବା ଖବର ଆଲୋଡ଼ନ ସୃଷ୍ଟି କରିଛି । କେବଳ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାମରେ ଯେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ବ୍ୟାପକ ହେରଫେର କରାଯାଇଛି, ଏହା ହେଉଛି ତାହାର ଏକ ଜ୍ବଳନ୍ତ ଉଦାହରଣ ।
