ରାସ୍ତା ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ

ବୌଦ୍ଧ : ସହର ମଧ୍ୟରେ ସଙ୍କୁଚିତ ରାଜପଥ ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଦୁଇଟି ଭାରିଯାନ ପରସ୍ପରକୁ ଅତିକ୍ରମ କରିବା ମୁସ୍କିଲ ହୋଇ ପଡ଼ୁଛି । ଫଳରେ ଦୀର୍ଘ ସମୟ ଗାଡ଼ି ମଟର ଜାମ ରହୁଛି । ଏନଏସି ଛକରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖ ପର୍ୟ୍ୟନ୍ତ ରାସ୍ତା ଅଧିକାଂଶ ସମୟରେ ଏଭଳି ସ୍ଥିତି ଦେଖାଯାଉଛି । ବୁଧବାର ଏନଏସି ଛକଠାରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ରାସ୍ତା କଡ଼ରେ ଥିବା ଚା, ପାନ ଦୋକାନଗୁଡ଼ିକ ସହ ଦୋକାନ ସାମ୍ନା ଡ୍ରେନକୁ ଅକ୍ତିଆର କରାଯାଇଥିବା ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିରୁ ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଷ୍ଟଲ ମଧ୍ୟ ପ୍ରଭାବିତ ହୋଇଛି । ରାସ୍ତା ପାର୍ଶ୍ବରେ ଥିବା ଏନଏସିର ଦ୍ବିତଳ ଦୋକାନ ଘରର ସିଢ଼ି ଜବର ଦଖଲ ସୀମାରେ ରହିଛି । ସେଗୁଡ଼ିକୁ ଭାଙ୍ଗିବା ପାଇଁ ଚିହ୍ନଟ କରାଯାଇଛି । ତେବେ ସିଢ଼ି ଭାଙ୍ଗିବା ପରେ ଉପର ମହଲା ଦୋକାନଗୁଡ଼ିକୁ ରାସ୍ତା ବନ୍ଦ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ସବୁ ବେଳେ ବ୍ୟସ୍ତ ରହିଥାଏ । ଭାରୀଯାନଗୁଡ଼ିକର ଯାତାୟତ ଯୋଗୁଁ ଅନେକ ସମୟରେ ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ । ପୁରୁଣା କୋଠାଗୁଡ଼ିକ ଯୋଗୁଁ ସହରର କିଛି ସ୍ଥାନରେ ରାଜପଥ ସଙ୍କୁଚିତ ହୋଇ ପଡ଼ିଛି । ରାସ୍ତା ପାର୍ଶ୍ବର ଥିବା ସରକାରୀ କୋଠା ଯୋଗୁଁ ରାସ୍ତା ଓସାର ହୋଇ ପାରୁ ନାହିଁ । ଯାହା ଦ୍ବାରା ସମସ୍ୟା ଜଟିଳ ହୋଇଥାଏ । ରାସ୍ତାର ପ୍ରଶସ୍ତିକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ରାସ୍ତାକୁ ଲାଗି ରହିଥିବା ସିଡିଏମଓ ଅଫିସର ମୁଖ୍ୟ ଫାଟକ ଓ ପାଚେରୀ ଭଙ୍ଗା ଦୂରତା ବଜାୟ ରଖି ନୂତନ ଭାବରେ ନିର୍ମାଣ କରାଯାଉଛି । କୋଭିଡ କେୟାର ସେଣ୍ଟର ସମ୍ମୁଖରେ ଥିବା ଅଣଓସାରିଆ ପୋଲକୁ ଭାଙ୍ଗି ଓସାରିଆ କରାଯାଉଛି । ତେବେ ଅନେକ ସ୍ଥାନରେ ଡ୍ରେନକୁ ମଧ୍ୟ ଲୋକେ ମାଡ଼ି ବସିଛନ୍ତି । ଦୋକାନ ସମ୍ମୁଖରେ ଥିବା ଡ୍ରେନକୁ ଅତିକ୍ରମ କରି ଜବର ଦଖଲ କରି ରଖିଛନ୍ତି । ସେଗୁଡ଼ିକୁ ଚିହ୍ନଟ କରି ଭଙ୍ଗା ଯାଇଛି । ଉଚ୍ଛେଦ ବେଳେ ତହସିଲଦାର ଅବିନାଶ ପାଣ୍ଡିଆ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *