କରଞ୍ଜିଆ : କରଞ୍ଜିଆ ଉପଖଣ୍ଡରେ ଥମୁନାହିଁ ହାତୀ ଉପଦ୍ରବ । ଦୀର୍ଘ କିଛି ମାସ ହେଲାଣି ଚିନ୍ତା ବଢେଇ ଦେଇଛନ୍ତି ହାତୀପଲ । କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ଘର ଭାଙ୍ଗୁଛନ୍ତି ୨୬ ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ପାଲଟିଛି ହାତୀ ଉପଦ୍ରବ। ବନବିଭାଗ ସବୁ ଉଦ୍ୟମ ପରେ କରଞ୍ଜିଆ ବନଖଣ୍ଡରୁ ହାତୀ ଘଉଡେଇବା କଷ୍ଟକର ହୋଇପଡିଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ଦିନ ଝାଡଖଣ୍ଡ ଓ କେନ୍ଦୁଝରରୁ ହାତୀ ଆସିଥାନ୍ତି । ୨୬ ଟିକିଆ ହାତୀ ଯୋଗୁଁ କରଞ୍ଜିଆ, ଠାକୁରମୁଣ୍ଡା, ଶୁକୃଳି, ରରୁଆଁ ବ୍ଳକର ଦୁଇଶହରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ହାତୀପଲ ଦିନରେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ଅନେକ କ୍ଷୟକ୍ଷତି କରିଥାନ୍ତି । ଗୁରୁବାର ବିଳମ୍ବିତ ରାତ୍ରରେ ତାଳପଦା ଗ୍ରାମର ମସୋ ହୋଙ୍କ ଘର ଭାଙ୍ଗିବା ସହ ୨ କୁଇଣ୍ଟାଲ ୫୦କିଲୋ ଚାଉଳ, ଧାନ ଖାଇଦେଇଛନ୍ତି । ଏହି ଗାଁର, ସାନ୍ତାଳ ହୋ ଓ ଟୁକୁ ହୋଙ୍କ ଘର ଭାଙ୍ଗି ଥିଲା ବେଳେ କାଜୁ ବଗିଚା ଭାଙ୍ଗି ନଷ୍ଟ କରିଛନ୍ତି ହାତୀପଲ । ଏବେ ଗଜରାଜ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ପଡିଆ ବେଡା ଜଙ୍ଗଲରେ ଥିବା ସୂଚନା ମିଳିଛି ।
