ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାକୁ କେନ୍ଦ୍ରକରି ରାଜନୀତି ଆହୁରି ଘନୀଭୂତ ହୋଇଛି। ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ସେ ‘ତୁ’ ବୋଲି ସମ୍ବୋଧନ କରିବା ଓ କିଛି ଅଶାଳୀନ ତଥା ଉତ୍ତେଜକ ମନ୍ତବ୍ୟ ପ୍ରଦାନ ନେଇ ତାଙ୍କ ବିରୋଧରେ ଦୁଇଟି ଏତଲା ଦାୟର କରାଯାଇଛି। କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ପଦମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। କଙ୍ଗନା ନିଜକୁ କାଶ୍ମୀରୀ ପଣ୍ଡିତଙ୍କ ସହିତ ତୁଳନା କରିବା ପ୍ରତିବାଦରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ ମୁମ୍ବଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ନେଇ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ ବିବାଦ ଏବେ କଙ୍ଗନା ଓ ଶିବସେନା ମଧ୍ୟରେ ସୀମିତ ନାହିଁ। ଏହା ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ତଥା ମହାରାଷ୍ଟ୍ରବାସୀଙ୍କ ମଧ୍ୟ ଚାଲିଛି। କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ବୋଲି ସେ କହିଛନ୍ତି। ଏହାର ଜବାବରେ କଙ୍ଗନା କହିଛନ୍ତି ଯେ ଶିବସେନା ଏବେ ‘ସୋନିଆ ସେନା’ରେ ପରିଣତ ହୋଇଛି। ଏହି ଦଳ କ୍ଷମତା ପାଇଁ ବାଲାସାହେବଙ୍କ ଆଦର୍ଶକୁ ବିକ୍ରି କରିଦେଇଛି। ମୁଁ ଅନୁପସ୍ଥିତ ଥିବା ସମୟରେ ଏହି ସେନାର ଗୁଣ୍ଡାମାନେ ମହାନଗର ନିଗମ ଦ୍ବାରା ମୋ ଘର ଭାଙ୍ଗିଛନ୍ତି; ଯାହାକି ସମ୍ବିଧାନ ପ୍ରତି ଘୋର ଅପମାନ। କଙ୍ଗନା ଗୁରୁବାର ବାନ୍ଦ୍ରା ଅନ୍ତର୍ଗତ ପାଲି ହିଲ୍ ନାକାସ୍ଥିତ ଭଗ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ମହାନଗର ନିଗମ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ଉପଦେଷ୍ଟା ଅଜୟ ମେହେତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ଉପରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି। ବିବାଦ ନିଆଁରେ ଘିଅ ଢ଼ାଳିବା ଭଳି କେନ୍ଦ୍ରମନ୍ତ୍ରୀ ରାମଦାସ ଅଥୱାେଲ ଗୁରୁବାର କଙ୍ଗନାଙ୍କୁ ଭେଟି ଆଲୋଚନା କରିଛନ୍ତି। କଙ୍ଗନାଙ୍କ ମଆ ଆଶା ରଣାୱତ କହିଛନ୍ତି ଯେ ତାଙ୍କ ପରିବାର କଂଗ୍ରେସ ସମର୍ଥକ ଥିଲେ; କିନ୍ତୁ ସାମ୍ପ୍ରତିକ ଭୂମିକା ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି।
