ବଣାଇ : ବଣାଇ ଉପଖଣ୍ଡରେ ଥିବା ଚାରୋଟି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ ଅପ୍ରେଲ ୨୪ ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ବଣାଇ ବ୍ଲକ କେନ୍ଦ୍ରିକଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବୁ ନୂଆଗାଁ ମହିମା ମଠ ଠାରେ ମଧ୍ୟ ପଞ୍ଚାୟତ ରାଜ ଦିବସ ପାଳନ ଉପଲକ୍ଷେ ସରପଞ୍ଚ ଉଗ୍ରସେନ କିସାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗ୍ରାମ ସଭାରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ସ୍କୁଲର ଶିକ୍ଷକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦାନ କରି ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ ଆଗତ କରିଥିଲେ ।

ସରପଞ୍ଚ ଶ୍ରୀ କିସାନ ନିଜ ବକ୍ତବ୍ୟରେ ଜନହିତକର ଯୋଜନାରେ ମୌଳିକ ସୁବିଧା ସୁଯୋଗ ଯଥାକ୍ରମେ :- ପାନୀୟଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ, ଗ୍ରାମ ପରିମଳ, ବନୀକରଣ ତଥା ଯୁବକମାନଙ୍କୁ ନେଇ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦେବା ସହିତ ପଞ୍ଚାୟତ ଦ୍ବାରା ଚୟନ କରାଯାଇଥିବା ହିତାଧିକାରୀମାନଙ୍କୁ ଭତା ପ୍ରଦାନ କରିଥିଲେ । ଏଥିରେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସାଫଲ୍ୟ କୁମାର ଦଣ୍ଡିଆ, ଅବସର ପ୍ରାପ୍ତ ବନପାଳ ଭକ୍ତ ବନ୍ଧୁ ଦେଓ ଙ୍କ ସମେତ ପଞ୍ଚାୟତର ଅନେକ ବୟୋଜ୍ୟେଷ୍ଠ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ ।

ଅନୁରୂପ ଭାବେ ଲହୁଣୀପଡା ବ୍ଲକ ଅନ୍ତର୍ଗତ ଗୋପନା ପଞ୍ଚାୟତ ଠାରେ ଆୟୋଜିତ ଗ୍ରାମ ସଭାରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ପଞ୍ଚାୟତ ରାଜ ଦିବସ ପାଳନ କରିଥିଲେ ।
