ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରୀଗାଁ ରାସ୍ତାରେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ରବିବାର ପାଟ୍ରୋଲିଂ ସମୟରେ ଏକ କୁଇଣ୍ଟାଲ ପଚାଶ କିଲୋ ଛଅ ଶହ ପଚାଶ ଗ୍ରାମର ଗଞ୍ଜେଇ ଓ ଏକ ଅଟୋକୁ ଜବତ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ବାଲିଗୁଡା ଥାନା ଏସଆଇ ସସ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସିନ୍ଦ୍ରୀଗାଁ ଅଞ୍ଚଳ ରାସ୍ତାରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଅଟୋକୁ ଖାନତଲାସ କରାଯାଇଥିଲା । ଏଥିରୁ ବେଆଇନ ଗଞ୍ଜେଇ ମିଳିଥିଲା । ସିନ୍ଦ୍ରୀଗାଁରୁ ବାହାର ଜିଲ୍ଲାକୁ ବେଆଇନ ଭାବେ ଚୋରା ଚାଲାଣ ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଚଢଉ କରିଥିଲା । ଅଟୋରୁ ଏକ କୁଇଣ୍ଟାଲ ପଚାଶ କିଲୋ ଛଅ ଶହ ପଚାଶ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ l ତେବେ ଗିରଫ ବ୍ୟକ୍ତି ହେଲେ ବାଲିଗୁଡା ଥାନା ଅଞ୍ଚଳ ମହାସିଂ ପାଙ୍ଗାର ବିଦ୍ୟାଧର ମଳିକ । ଏନେଇ ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବାଲିଗୁଡା ଥାନାରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।
