ଆଠଗଡ଼ : ଲଗାଣ ବର୍ଷା ଓ ମହାନଦୀର ବନ୍ୟା ଆଠଗଡ଼ ଅଞ୍ଚଳର କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ବନ୍ୟା-ବର୍ଷା ଚାଷୀଙ୍କର ବର୍ଷକର ଆହାର ଓ ରୋଜଗାର ଧୋଇ ନେଇଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଠଗଡ଼ ଅଞ୍ଚଳର ଅନେକ ପଞ୍ଚାୟତରେ ପନିପରିବା ଚାଷ ବହୁ ପରିମାଣର ହୋଇଥାଏ ଏବଂ ଚାଷୀ ପନିପରିବା ଉତ୍ପାଦକୁ କଟକ, ଭୁବନେଶ୍ୱର, ଢେଙ୍କାନାଳ ଓ ଅନୁଗୁଳ ଆଦି ସହରକୁ ପଠାଇ ଭଲ ଦୁଇପଇସା ରୋଜଗାର କରିଥାନ୍ତି । କିନ୍ତୁ ଚଳିତ ମହାନଦୀର ବନ୍ୟା ଏବଂ ଲଘୁଚାପ ଜନିତ ଲଗାଣ ବର୍ଷାରେ ପରିବା ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ସେହିପରି ହଜାର ହଜାର ଏକର ଖରିଫ ଧାନଚାଷ ହୋଇଥିବା ଜମି ଦୀର୍ଘ ୭-୮ ଦିନ ଧରି ବନ୍ୟା ଓ ବର୍ଷା ଜଳରେ ବୁଡି ରହିଥିବାରୁ ଧାନ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଠଗଡ଼ ବ୍ଲକର ମହାକାଳବସ୍ତ, ଘଣ୍ଟିଖାଲ, ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର, ରାଜନଗର, ବେଣ୍ଟପଦା, ମେଘା ଓ କଟକିଆସାହି ପଞ୍ଚାୟତରେ ମହାନଦୀର ବନ୍ୟାଜଳ ବ୍ୟାପକ ଅଞ୍ଚଳକୁ ବୁଡାଇ ରଖିଥିବାରୁ ସେ ସବୁ ପଞ୍ଚାୟତରେ ହଜାର ହଜାର ଏକ ଧାନଜମି ପନିପରିବା ଚାଷ ହୋଇଥିବା ଜମି ୮ ଦିନ ହେବ ଜଳାର୍ଣ୍ଣବ ହୋଇଥିବାରୁ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିପରି ଜେନାପଦା, ଇଚ୍ଛାପୁର, ସମସରପୁର, ସଠିଲୋ, ତରଡିଙ୍ଗ ଆଦି ପଞ୍ଚାୟତଗୁଡିକରେ ମଧ୍ୟ କୃଷିକ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଏହିସବୁ ପଞ୍ଚାୟତରେ ଧାନ ବ୍ୟତୀତ ବ୍ୟାପକ ପରିବା ଫସଲ ଚାଷ କରାଯାଇଥାଏ । ପ୍ରଚଣ୍ଡ ଖରାରେ ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ରାନ୍ତ ପରିଶ୍ରମ କରି ବର୍ଷଯାକର ଆହାର ଓ ପରିବାର ପୋଷଣ ପାଇଁ ରୋଜଗାର ଲାଗି ଚାହିଁ ବସିଥିବା ଚାଷୀକୂଳ ଏହି କ୍ଷୟକ୍ଷତି ଯୋଗୁଁ ହତାଶ ହୋଇପଡ଼ିଛନ୍ତି । ସେହିପରି ପରିବା ଫସଲ ପ୍ରାୟତଃ ଏହିସବୁ ପଞ୍ଚାୟତରେ ଉଜୁଡିଯାଇଛି । ଅମଳ କମ ହେଉଥିବା ଏବଂ ବାହାରୁ ପରିବା ଆସି ବିକ୍ରି ହେଉଥିବାରୁ ପନିପରିବା ଦର ଆକାଶ ଛୁଆଁ ହୋଇଛି । ଆଳୁ ପିଆଜକୁ ଛାଡିଦେଲେ କୌଣସି ସବୁଜ ପରିବା କିଲୋ ୫୦ ଟଙ୍କାରୁ କମ୍ ରେ ମିଳୁନଥିବାରୁ ସାଧାରଣ ଖାଉଟି ପକେଟ ଉପରେ ଭାର ଅଧିକା ପଡୁଥିବାରୁ ସବୁଜ ପରିବା କିଣିବା କମାଇ କେବଳ ଆଳୁ ଉପରେ ନିର୍ଭର କରୁଛନ୍ତି ଖାଉଟି । କୃଷି ବିଭାଗ ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚଳିତ ବନ୍ୟା ଓ ଲଗାଣ ବର୍ଷା ଫଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଆରମ୍ଭ କରିଛନ୍ତି । ତେବେ ଅନେକ ଅଞ୍ଚଳରେ ଏବେବି ଚାଷଜମିଗୁଡିକରେ ବନ୍ୟାଜଳ ଜମି ରହିଥିବାରୁ ସଂପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ସାରିବା ପାଇଁ ଆଉ ୫-୬ ଦିନ ଲାଗିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । କ୍ଷୟକ୍ଷତି ବାବଦରେ ସରକାର ଯେତେ କ୍ଷତିପୂରଣ ଦେଲେ ମଧ୍ୟ ତାହା ଚାଷୀ ସହୁଥିବା କ୍ଷତି କେବେବି ଭରଣା ହୋଇପାରିବ ନାହିଁ । ତଥାପି ଚାଷୀଙ୍କ ମନୋବଳ ବଢ଼ାଇ ପୁନର୍ବାର ଚାଷବାସ ଆରମ୍ଭ କରିବା ପାଇଁ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀକୂଳ ଦାବି କରିଛନ୍ତି ।
