ବେଗୁନିଆ : ବେଗୁନିଆ ବ୍ଲକ ଅଞ୍ଚଳରେ ମାଦକ ଦ୍ରବ୍ୟର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନାମୀ ଦାମୀ ବିଦେଶୀ କମ୍ପାନୀ ନାମରେ ନକଲି ମଦ ବିକ୍ରି ହେଉଛି । ଏପରିକି ଗାଁ ଗାଁ ରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବାହାର ଅଞ୍ଚଳକୁ ଚାଲାଣ ହେଉଛି । ବାହାର ଜିଲ୍ଲାରୁ ଦେଶୀ ମଦ ଆସି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ଦେଶୀ ମଦ ପ୍ରସ୍ତୁତି ଏଠାରେ ଏକପ୍ରକାର କୁଟୀରଶିଳ୍ପରେ ପରିଣତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଝସକେତନ ବରିହାଙ୍କ ନିର୍ଦେଶ କ୍ରମେ ଖୋର୍ଦ୍ଧା ଇନିସ୍ପେକ୍ଟର ଭେରବ ସାହୁ, ବେଗୁନିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ମୁଦୁଲି ଏବଂ ଜିଲ୍ଲା ଭ୍ରାମ୍ୟମାଣ ଦଳ ନିରୀକ୍ଷକ ସସ୍ମିତା ହୋତା ସଦଳେବଳେ ବେଗୁନିଆ ବ୍ଲକର ମାଣିକପୁରପାଟଣା ଗ୍ରାମର କୈଳାଶ ସେଠିଙ୍କ ଘର ଉପରେ ଚଢ଼ାଉ କରି ୩୦ ଲିଟର ଦେଶୀ ମଦ ସହ ଏକ ବାଇକ, ହୀରାପୁର ଗ୍ରାମର ନରୋତ୍ତମ ସାହୁଙ୍କ ଘର ଉପରେ ଚଢ଼ାଉ କରି ୨୦ ଲିଟର ଦେଶୀ ମଦ ଏବଂ ସେହି ଗ୍ରାମର ଦୋଳ ପ୍ରଧାନଙ୍କ ଘର ଉପରେ ଚଢ଼ାଉ କରି ୧୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ସମ୍ପୃକ୍ତ ୩ ଜଣଙ୍କ ନାମରେ ତିନୋଟି ମୋକଦ୍ଦମା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
