‘ଆହାର’ ପ୍ରହସନ, ପ୍ରତିଦିନ ପୋଖରୀରେ ଫିଙ୍ଗୁଛନ୍ତି ୫୦ ରୁ ଅଧିକ ମିଲ୍

ଚିକିଟି : ଗରିବ ଓ ଅସହାୟଙ୍କୁ ୫ ଟଙ୍କାରେ ଭାତଡାଲମା ଯୋଗାଇ ଦେବାକୁ ରାଜ୍ୟ ସରକାର ଖୋଲିଥିବା ‘ଆହାର’ କେନ୍ଦ୍ର କିଭଳି ଢଙ୍ଗରେ ପରିଚାଳିତ ହେଉଛି, ଏହାର ତଦାରଖ ପାଇଁ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀମାନଙ୍କ ଚିନ୍ତା ନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ଏନ୍‌ଏସିରେ । ଗୋଟିଏ ପଟେ ‌ଲୋକେ ମୁଠାଏ ଖାଇବାକୁ ସଂଘର୍ଷ କରୁଥିବା ଅନ୍ୟପଟେ ଏଠାରେ ଥିବା ଆହାର କେନ୍ଦ୍ରରୁ ପ୍ରତିଦିନ ୫୦ ଜଣଙ୍କ ମିଲ୍ ପୋଖରୀକୁ ନେଇ ମାଛଙ୍କ ପାଇଁ ଫୋପଡ଼ା ଯାଉଛି । ସରକାରୀ ତହବିଲ୍‌ରୁ ଏଭଳି ଅର୍ଥ ବରବାଦ୍‌ ହେଉଥିବା ଅନେକଙ୍କୁ ବ୍ୟଥିତ କରିଛି ।

ପୂର୍ବରୁ ଏହି ଆହାର କେନ୍ଦ୍ର ଚିକିଟିପେଣ୍ଠ ବସ୍‌ଷ୍ଟାଣ୍ଡ୍‌ରେ ଥିଲା । ଦୈନିକ ୧୫୦ ଜଣଙ୍କ ପାଇଁ ବ୍ରହ୍ମପୁରରୁ ଭ୍ୟାନ୍‌ରେ ଖାଦ୍ୟ ଆସୁଥିଲା । ଚିକିଟିପେଣ୍ଠ ଏକ ବ୍ୟାବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଖାଦ୍ୟ ସରିଯାଉଥିଲା । କିନ୍ତୁ ଖାଦ୍ୟ ପାତ୍ର ସଫାସୁତରା ଓ ଡ୍ରେନେଜ୍ ସମସ୍ୟା ସମେତ ବିଭିନ୍ନ ଅବ୍ୟବସ୍ଥାର ଆଳ ଦେଖାଇ ଏହି କେନ୍ଦ୍ରଟିକୁ ଚିକିଟିଗଡ଼ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସଂଲଗ୍ନ ଏକ ଘରକୁ ଏନ୍‌ଏସି ପକ୍ଷରୁ ସ୍ଥାନାନ୍ତର କରିଦିଆଗଲା । ଜିଲ୍ଲାପାଳ ଓ ବିଧାୟିକା ଏହାକୁ ଉଦ୍‌ଘାଟନ କରିଥିଲେ । ଚିକିଟି ଡାକ୍ତରଖାନାକୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ସଂପର୍କୀୟଙ୍କ ସମେତ ବିଭିନ୍ନ ଶ୍ରେଣୀର ଲୋକେ ଏହାଦ୍ବାରା ଉପକୃତ ହେବେ ବୋଲି ଲକ୍ଷ୍ୟ ରହିଥିଲା ।
କିନ୍ତୁ କ୍ଷୋଭର ବିଷୟ ହେଲା, ଏହି ଉଦ୍ଦେଶ୍ୟ ସାଧିତ ହୋଇପାରୁନି । କେନ୍ଦ୍ରର ପରିଚାଳନା ଦାୟିତ୍ବ ଏକ ସ୍ବୟଂ ସହାୟିକା ଗୋଷ୍ଠୀ ଉପରେ ନ୍ୟସ୍ତ ରହିଛି । ଆଉ ପ୍ରତିଦିନି ୫୦ ରୁ ଅଧିକ ‌ଲୋକଙ୍କ ମିଲ୍ ବଳକା ରହୁଛି ।  ଆଉ ସମସ୍ତ ଖାଦ୍ୟ ମାଛ ଚାଷ ହେଉଥିବା ପୋଖରୀରେ ଫୋପଡ଼ାଯାଉଛି ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କହିଛନ୍ତି । ସେହିପରି ସରକାରୀ ଛୁଟି ପଡ଼ିଗଲେ ୭୦ ରୁ ୮୦ ମିଲ୍ ଫୋପଡ଼ାଯାଉଥିବା ସୂଚନା ମିଳିଛି । ସେମାନଙ୍କ କହିବାନୁସାରେ, ପ୍ରତିଦିନ ୧୫୦ ଜଣଙ୍କ ପାଇଁ ଖାଦ୍ୟ ଆସୁଛି । ଚିକିଟି କଲେଜ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ଲୋକ ଏହି କେନ୍ଦ୍ରରେ ଭାତଡାଲମା ଖାଉଛନ୍ତି । ସାଧାରଣ ଦିନରେ ୧୦୦ଟି ମିଲ୍ ସରିଯାଉଥିବା ବେଳେ ୫୦ ମିଲ୍ ବଳକା ରହୁଛି । ତେବେ ଛୁଟିଦିନ ପଡ଼ିଗଲେ ୭୦ ରୁ ୮୦ ଜଣଙ୍କ ଖାଦ୍ୟ ବଳକା ରହୁଛି । ସମସ୍ତ ବଳକା ଖାଦ୍ୟକୁ ଖଜୁରିଆ ଏବଂ ‌ଢେପଗାଁ ପୋଖରୀକୁ ମାଛ ଖାଇବା ଲାଗି ଫୋପାଡ଼ି ଦିଆଯାଉଛି । ପ୍ରତିମାସରେ ରବିବାରକୁ ଛାଡ଼ିଦେଲେ ବାକି ୨୬ଟି କାର୍ଯ୍ୟଦିବସରେ ଖାଦ୍ୟ ଏଭଳି ଭାବେ ଫୋପଡ଼ାଯାଉଥିବା ଦେଖିବାକୁ ମିଳିଛି ।
ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କୁହାଯାଇଛି, ଏହି କେନ୍ଦ୍ରରେ ତିନିଜଣ ମହିଳା ଖାଦ୍ୟ ବିତରଣ ସମେତ ବିଭିନ୍ନ କାମରେ ନିୟୋଜିତ ରହିଛନ୍ତି । ଏନଏସି ପକ୍ଷରୁ ଜଣକ ପିଛା ପ୍ରତିଦିନ ୩୦୦ ଟଙ୍କା ‌ଲେଖାଏଁ ପାରିଶ୍ରମିକ ଦିଆଯାଉଛି । କିନ୍ତୁ ଖାଦ୍ୟ ବଳକା ବିଷୟରେ ସେମାନେ କିଛି କହିପାରିବେ ନାହିଁ । ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଖାଦ୍ୟ ଧରିଯାଉଥିବା ଯୋଗାଣକାରୀ ସଂସ୍ଥାର ଗାଡ଼ିଚାଳକ କହିଛନ୍ତି, ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଇବା କେବଳ ଆମ ଦାୟିତ୍ବ । ବାକିସବୁ ଏନ୍‌ଏସି ପ୍ରଶାସନ ବୁଝନ୍ତି ।ତେବ‌େ ପ୍ରତିଦିନ ବଳକା ସତ୍ତ୍ବେ ଖାଦ୍ୟର ପରିମାଣ କାହିଁକି କମାଯାଉନି ? ଏଥିପାଇଁ ଦାୟୀ କିଏ ? ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି କେନ୍ଦ୍ରରେ ପ୍ରତିଦିନ ବିଭାଗୀୟ ଅଧିକାରୀ ତଦାରଖ କରୁ ନଥିବାରୁ ଏଭଳି ଅବ୍ୟବସ୍ଥା ଉପୁଜିଥିବା ମତପ୍ରକାଶ ପାଇଛି । ଏନ୍‌ଏସି ପଦାଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିବାରୁ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି ।

Leave a Reply

Your email address will not be published. Required fields are marked *