କେନ୍ଦୁଝର : ମାତ୍ର ସପ୍ତାହେ ତଳେ କେନ୍ଦୁଝରର ବିଭିନ୍ନ ପରିବା ବଜାରରେ ଟମାଟୋ କେଜି ମାତ୍ର ୨୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଦର ୬୦ ଟଙ୍କା ଟପିଲାଣି । ସ୍ଥାନୀୟ ଚାଷୀଙ୍କ କ୍ଷେତରୁ ବାହାରିଥିବା ଟମାଟୋ ଶେଷ ହୋଇଯିବା ଏବଂ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ପରିବା ଚାଷ ନଷ୍ଟ ହେବା ଯୋଗୁଁ ଏହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡ଼ିଛି । ଏଭଳି ସ୍ଥିତି ରାଜ୍ୟ ବାହାରର ବ୍ୟବସାୟୀମାନେ କେନ୍ଦୁଝର ଜିଲ୍ଲାର ପରିବା ବଜାରକୁ କବ୍ଜା କରିଛନ୍ତି । ରାଜ୍ୟ ବାହାରୁ ପରିବା ଆଣି ସ୍ଥାନୀୟ ବଜାରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି ।
କେନ୍ଦୁଝର ଜିଲ୍ଲାରେ ପ୍ରଚୁର ପରିମାଣରେ ଟମାଟୋ ଉତ୍ପାଦନ ହୋଇଥାଏ । ଏପରିକି ଅମଳ ସମୟରେ ଟମାଟୋ କେଜି ଟଙ୍କେ ଦୁଇଟଙ୍କାରେ ବିକ୍ରି ହୋଇଥାଏ । ସ୍ଥିତି ଏମିତି ହୋଇଥାଏ ଯେ, ଟମାଟୋ ବିକ୍ରି ନ ହୋଇ ଗାଈଗୋରୁ ଖାଇଥାନ୍ତି । ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ କ୍ଷେତରୁ ଟମାଟୋ ଶେଷ ହୋଇଗଲେ ଦର ବଢ଼ି ଯାଇଥାଏ । କେନ୍ଦୁଝର ବଜାରରେ ପରିବା ବିକ୍ରି କରୁଥିବା ସୁରେନ୍ଦ୍ର ମହାନ୍ତ କହିଛନ୍ତି, କେନ୍ଦୁଝର ପରିବା ବଜାରକୁ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ରାଜ୍ୟର ବେପାରୀ ଅକ୍ତିଆର କରିସାରିଲେଣି । ସ୍ଥାନୀୟ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ତାଙ୍କଠାରୁ ପରିବା ନ କିଣିଲେ ବଜାରରେ ବିକ୍ରି କରିପାରିବ ନାହିଁ । କାରଣ ଉକ୍ତ ବେପାରୀମାନେ ବାହାର ରାଜ୍ୟରୁ ପରିବା ଆଣିଥାନ୍ତି । ଏପରିକି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ମଧ୍ୟ ନିଜ ଉତ୍ପାଦିତ ପରିବାକୁ ତାଙ୍କ ପାଖରେ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି । ଗୋଟିଏ ସପ୍ତାହ ପୂର୍ବରୁ ଟମାଟୋ କେଜି ୨୦ ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା । କେନ୍ଦୁଝର ଚାଷୀଙ୍କ ବଗିଚାରୁ ଟମାଟୋ ଶେଷ ହେବା ପରେ ଏବେ ବାହାର ରାଜ୍ୟରୁ ଟମାଟୋ ଆସୁଛି । ତେଣୁ କେଜି ୬୦ ଟଙ୍କାରେ ବିକ୍ରି ହେଉଛି ବୋଲି ଶ୍ରୀ ମହାନ୍ତ କହିଛନ୍ତି ।

ସେହିପରି ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ଗ୍ରାମର ଚାଷୀ ବସନ୍ତ କୁମାର ବେହେରା କହିଛନ୍ତି, ପ୍ରତିବର୍ଷ ସେ ୮ ରୁ ୧୦ ଏକର ଜମିରେ ଟମାଟୋ ଚାଷ କରନ୍ତି । ଅମଳ ସମୟରେ ସେ କେଜି ପ୍ରତି ସର୍ବାଧିକ ୧୦ ଟଙ୍କାରେ ବିକ୍ରି କରୁଥିଲେ । କେନ୍ଦୁଝର ସମେତ କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା ଏବଂ ଅନ୍ୟାନ୍ୟ ସହରର ବେପାରୀଙ୍କୁ ବିକ୍ରି କରନ୍ତି । କେନ୍ଦୁଝରରେ ଶୀତଳଭଣ୍ଡାର ଥିଲେ ସେମାନେ ଉତ୍ପାଦିତ ଟମାଟୋକୁ କମ୍ ଦରରେ ବିକ୍ରି ନ କରି ଶୀତଳଭଣ୍ଡାରରେ ରଖିଥାନ୍ତେ । ପରେ ଉଚିତ ଦାମରେ ବିକ୍ରି କରିଥାନ୍ତେ ବୋଲି ଶ୍ରୀ ବେହେରା କହିଛନ୍ତି । ଶୀତଳଭଣ୍ଡାର ପାଇଁ ଚାଷୀମାନେ ବହୁବାର ସରକାରଙ୍କ ନିକଟରେ ଦାବି କରିଛନ୍ତି । କିନ୍ତୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ଚାଷୀମାନେ ବିରକ୍ତ ହୋଇ ଅନେକ ସମୟରେ ରାଜରାସ୍ତାରେ ଟମାଟୋ ପକାଇବା ସହ ଗାଈଗୋରୁଙ୍କୁ ଖାଇବାକୁ ଦେଇଥାନ୍ତି ।
ଏହାଛଡ଼ା କେନ୍ଦୁଝର ବଜାରରେ ଲେମ୍ବୁ ଗୋଟା ୧୦ ଟଙ୍କାରେ ବିକ୍ରି ହେଉଛି । ଆନ୍ଧ୍ରପ୍ରଦେଶରୁ ଲେମ୍ବୁ ଆସି କେନ୍ଦୁଝର ବଜାରରେ ବିକ୍ରି ହେଉଛି । ଫଳରେ ମୂଲ୍ୟ ଅଧିକ ରହୁଥିବା ବେପାରୀମାନେ ପ୍ରକାଶ କରିଛ । ଏହାଛଡ଼ା ବାଇଗଣ କେଜି ୫୦ ଟଙ୍କା, ପୋଟଳ ୮୦ ଟଙ୍କା, ସଜନାଛୁଇଁ ୧୦୦ ଟଙ୍କା, କୁନ୍ଦୁରୀ ୪୦ ଟଙ୍କା, ଜହ୍ନି ୪୦ ଟଙ୍କା, କାକୁଡ଼ି ୪୦ ଟଙ୍କା, ଗାଜର ୬୦ ଟଙ୍କା, କାଙ୍କଡ଼ ୧୦୦ ଟଙ୍କା, କଲରା ୪୦ ଟଙ୍କା, ଧନିଆପତ୍ର କେଜି ୨୦୦ ଟଙ୍କା ମୂଲରେ ବିକ୍ରି ହେଉଛି ।
