ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଳକ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକାର ଭୟ ଦେଖାଇ ସରକାରୀ ଅର୍ଥ ଲୁଟୁଛନ୍ତି ଠିକାଦାର ଓ ସରକାରୀ ବାବୁ । ଅଭିଯୋଗ ଅନୁସାରେ ଲାଞ୍ଜିଗଡ ବ୍ଲକ ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତ ବଡ଼ ଜାମକନା ଗାଁଠାରୁ କାବାଗେଂଜୁ ଗାଁକୁ ସଂଯୋଗ କରୁଥିବା ସ୍ଥାନୀୟ ନାଳ ଉପରେ ସେତୁ ଓ ରାସ୍ତା । ଗତ ୨୦୧୮ ମସିହାରେ ଜଣେ ଠିକାଦାର ଏହି ସେତୁ କାମକୁ ଅସମ୍ପୂର୍ଣ୍ଣ କରି ପ୍ରାୟ ୪ ବର୍ଷ କାଳ ବନ୍ଦ ରହିଥିଲା । ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ପୁଣି ଏସସିଏ (କେବିକେ) ଯୋଜନା ଜରିଆରେ ସେତୁର ଛାତ ଓ ସେତୁର ଦୁଇ ପାର୍ଶ୍ଵରେ ଗାଡ଼ୱାଲ ପାଇଁ ଠିକାଦାର ଚୁକ୍ତି କରିଥିଲା । ବିଭାଗ ପକ୍ଷରୁ ଏହି କାର୍ଯ୍ୟ ୨୦୨୨ ଜାନୁଆରୀ ୫ ତାରିଖରେ ଆରମ୍ଭ ହୋଇ ୪ ମେ ୨୦୨୨ରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । କିନ୍ତୁ କାର୍ଯ୍ୟ ୩ ମାସ ବିଳମ୍ବରେ ଆରମ୍ଭ ହୋଇ ୨ ମାସ ମଧ୍ୟରେ ଶେଷ ହୋଇଥିଲା ।

ବର୍ତ୍ତମାନ ସେତୁ ଦୁଇ ପାର୍ଶ୍ଵରେ ଗାଡ଼ୱାଲ ଓ ୧ କିଲୋମିଟର ପିଚୁ ରାସ୍ତା ନିର୍ମାଣ ହୋଇଥିବାବେଳେ ନିମ୍ନମାନର କାମ ତଥା କମ ପରିମାଣରେ ଚିପସ୍ ଓ ପିଚୁ ବ୍ୟବହାର ଯୋଗୁଁ ମାତ୍ର ୨ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠୁଥିବାବେଳେ ସେତୁର ଦୁଇ ପାର୍ଶ୍ଵରେ ରାସ୍ତା ଦବି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେତୁର ଦୁଇ ପାଶ୍ୱର୍ରେ ହୋଇଥିବା ୧ କିଲୋମିଟର ପିଚୁ ରାସ୍ତାରେ ସୂଚନା ଫଳକ ଲଗା ଯାଇନଥିବା ଯୋଗୁଁ କେତେ ଟଙ୍କା ବ୍ୟୟ ଅଟକଳ ରହିଛି ତାହା ଜଣାପଡୁନାହିଁ । ଅତି ନିମ୍ନ ପରିମାଣରେ ଚିପସ ଓ ପିଚୁ ବ୍ୟବହାର କରିବା ସହ ନୂଆ ମାଟିରେ ରୋଲର ମଡ଼ା ଯାଇନଥିଲା । ଏହାକୁ ନେଇ ସେହି ସମୟରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ । କିନ୍ତୁ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ଅଞ୍ଚଳବାସୀଙ୍କ କଥା ଶୁଣି ନଥିଲା । ଯାହା ଫଳରେ ୨ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠିବା ସହିତ ସେତୁର ଦୁଇ ପାର୍ଶ୍ଵରେ ପ୍ରାୟ ୨ ଫୁଟ ରାସ୍ତା ଦବି ଯାଇଛି । ଏହି ସେତୁ ଠାରୁ ଗୁଣ୍ଡରି ପଞ୍ଚାୟତ ମାତ୍ର ୩ କିଲୋମିଟର ଦୂରରେ ରହିଥିବା ବେଳେ ଏହି ସେତୁ ଦେଇ ପଞ୍ଚାୟତର ବିଭିନ୍ନ ଗାଁ କାବାଗେଂଜୁ, ଶୋଷପଦର, କଟାଙ୍ଗଭଟା, ବରଙ୍ଗପଦର, କାର ପେଙ୍ଗ, ମନସ୍ଥରା, ଦେହେଡା ଗମପେନୁ, ବିଜେପୁର, କୁଟେହେଜୁ, ହାତିମୁଣ୍ଡା, ଦାରବେଙ୍ଗ, ଆଦଲଡୁ, ତରଙ୍ଗଲ, ସାଡାଙ୍ଗପଦର, ମାଡିବନ୍ଧା ଓ ଡମେର। ଯାହାର ଦୂରତା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୨୫ ରୁ ୩୦ କିଲୋମିଟର ପଡେ । ବର୍ତ୍ତମାନ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ନାଳ ମଧ୍ୟରେ ଯାତାୟତ କରିପାରୁନାହାନ୍ତି । ଏପଟେ ବିପଦ ସଂକୁଳ ସେତୁ ଉପରେ ଗାଡି ନେଇ ଯାତାୟତ କରିବା ପାଇଁ ଭୟ କରୁଛନ୍ତି । ଯାହା ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ ଚାଉଳ, ଭତ୍ତା ଆଣିଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
