ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ଭଦ୍ରକ : ଭଦ୍ରକ ବ୍ଲକ୍‌ରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳୁନି । ଗରିବ ତଥା ଅସହାୟ ଲୋକମାନେ ସରକାରଙ୍କ ଆବାସ ଯୋଜନା ପାଇବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଅନେକ ଗରିବ ଲୋକ ଭଙ୍ଗା ଚାଳଘରେ ଜୀବନ ବିତାଉଥିବା ବେଳେ ସେମାନଙ୍କୁ କାହିଁକି ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ଅଭିଯୋଗରୁ ପ୍ରକାଶ ଯେ ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ ହରିପୁର ପଞ୍ଚାୟତ ଜେନା ସାହିରେ ବହୁ ଗରିବ ଶ୍ରେଣୀର ଲୋକ ରହିଛନ୍ତି । ଯେଉଁମାନେ ଘର ଖଣ୍ଡେ ପାଇବା ପାଇଁ ବାରମ୍ବାର ପଞ୍ଚାୟତ ଅଫିସ୍ ଠାରୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି । ମାତ୍ର ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ ।

ଗ୍ରାମର ଶମ୍ଭୁନଥ ବେହେରା, ସନ୍ତୋଷ ବେହେରା, ବାସୁଦେବ ଜେନା, ସିନାଲତା ଜେନା, ବାସନ୍ତୀ ଜେନା, ସୁଜାତା ଜେନା, ପିଙ୍କି ଜେନା, ରଂଜିତା ଜେନା, ସୁନିତା ଜେନା, ସତ୍ୟାନନ୍ଦ ଜେନା, ସୁମ ଜେନା, ରଂଜନ ଜେନା, ବୈଷ୍ଣବ ଜେନାଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି । ହରିପୁର ପଞ୍ଚାୟତର ଏହି ଲୋକମାନେ ଚାଳଛପର ଘରେ ରହୁଥିବା ବେଳେ ଏମାନେ ମଧ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ । ତଥାପି ଏଇ ଲୋକଙ୍କ ପ୍ରତି ସରକାର ସଦୟ ହେଉ ନାହାନ୍ତି କାହିଁକି । ଏହି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସ୍ଥାନୀୟ ୯ ନମ୍ବର ୱାର୍ଡର ୱାର୍ଡ ସଭ୍ୟ ତାପସ ମହାକୁଡ଼ ପ୍ରଶାସନ  ନିକଟରେ ଗଣମାଧ୍ୟମ ଜରିଆରେ ଦାବି ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପା‌ଇବା ପାଇଁ ଯେଉଁ ଲୋକମାନେ ଯୋଗ୍ୟ । ସେମାନଙ୍କୁ  ଚିହ୍ନଟ କରାଯାଇ ନାମ ଆବସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଶ୍ରୀ ମହାକୁଡ଼ ଦ‌ାବି କରିଛନ୍ତି । କେବଳ ଏଇ ଗୋଟିଏ ପଞ୍ଚାୟତରେ ଏଭଳି ଘଟଣା ଘଟିଛି, ତାହା ନୁହେଁ; ଭଦ୍ରକ ବ୍ଲକ୍‌ରେ ୩୬ଟି ପଞ୍ଚାୟତରେ ଏଇଭଳି ସ୍ଥିତି ଦେଖିବାକୁ ମିଳିଛି । ଯେଉଁମାନେ ଯୋଗ୍ୟ, ସେମାନଙ୍କୁ ଅଣଦେଖା କରାଯାଉଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *