ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୫-ଟି ଛାଟକୁ ବେଖାତିର ?

ଶେରଗଡ଼ : ଜନସାଧାରଣଙ୍କୁ ସରକାରୀ ସେବା ପ୍ରଦାନ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ପାଳିବା ଲାଗି ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ୫-ଟି ଅଧୀନକୁ ଆଣିଛନ୍ତି । ଏଥିପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ଉପରେ ନଜର ରଖାଯାଉଛି । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅଫିସର୍‌, କର୍ମଚାରୀ ସକାଳୁଆ ଅଫିସ୍ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଅଫିସ୍ ତାଲା ଫିଟୁନି । ଖରାକୁ ଡରି ସକାଳୁ ସକାଳୁ ଦୂରଦୂରାନ୍ତରୁ ବିଭିନ୍ନ କାମରେ ଆସୁଥିବା ଲୋକେ ନିରାଶରେ ଫେରୁଛନ୍ତି, କର୍ମଚାରୀ ବେଖାତିର୍‌ । ସବୁ ସରକାରୀ କାର୍ଯ୍ୟାଳୟରେ ଏ ହେଉଛି ସବୁଦିନିଆ ଘଟଣା ।
ଆଜି ଶେରଗଡ଼ ବ୍ଲକ୍‌ର ଓଡ଼ିଶା ଜୀବିକା ମିସନ୍ (ଓଏଲ୍‌ଏମ୍) କାର୍ଯ୍ୟାଳୟ ଫାଟକ ତାଲା ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଖୋଲାଯାଇ ନଥିବା ଦେଖିବାକୁ ମିଳିଥିଲା । ବହୁ ମହିଳା ଖରାକୁ ଡରି ସକାଳୁ ଆସିଥିଲେ ବି ସେମାନେ ଫେରି ଯାଉଥିବା ଦେଖା ଯାଇଥିଲା । କାର୍ଯ୍ୟାଳୟ ଠାରୁ ଶହେ ମିଟର ଦୂରରେ କ୍ୱାର୍ଟର୍ସ ଥିବା ବେଳେ ଅଫିସ୍‌ରେ କାର୍ଯ୍ୟରତ ୧୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଏଠାରେ ରହୁଛନ୍ତି । କିନ୍ତୁ କେହି ନିୟମିତ ଭାବେ ଠିକ୍ ସମୟରେ ଆସୁ ନଥିବା ଜଣାପଡ଼ିଥିଲା । କାର୍ଯ୍ୟରତ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଅଫିସ୍‌କୁ ନିୟମିତ ନଆସିବା ଫଳରେ ଦୂରଦୂରାନ୍ତରୁ ବିଭିନ୍ନ କାମ ନେଇ ଆସୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଆଜି ଠିକ୍ ୮ଟା ୩୫ ରେ ଜଣେ ମହିଳା କର୍ମଚାରୀ ଅଫିସ୍‌ ପହଞ୍ଚିଥିଲେ । ତାଙ୍କୁ ପଚାରିବାରୁ କହିଥିଲେ, ବିପିଏମ୍ ମାଡାମ୍ ସବୁଦିନ ତାଲା ଧରି ଯାଉଛନ୍ତି, ସେ ଆସିଲେ ହିଁ ଅଫିସ୍ ଖୋଲିବ । ଶେରଗଡ଼ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଜୀବିକା ମିସନ କାର୍ଯ୍ୟାଳୟରେ ଯଦି ଏଭଳି ଅବସ୍ଥା, ତା’ ହେଲେ ଗ୍ରାମାଞ୍ଚଳରେ ଥିବା ଅନ୍ୟ ସରକାରୀ ଅଫିସ୍‌ର ସକାଳୁଆ ସମୟ ସାରଣୀକୁ ବାବୁମାନେ କେମିତି ପାଳନ କରୁଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *