ଚିଲିକା : ଖରା ଆରମ୍ଭରୁ ଉପକୂଳ ଜିଲ୍ଲାରେ ଜଳକଷ୍ଟ । ଲୋକଙ୍କ ଶୋଷ ମେଂଟାଉଛି ପୋଖରୀ ଓ ଗଡିଆ ପାଣି । ସକାଳେ ଓ ସଞ୍ଜରେ ପୋଖରୀ ତୁଠରେ ଭିଡ । ହାତରେ ଗରା, ବାଲଟି ଧରି ମହିଳାମାନେ ପୋଖରୀରୁ ବୋହି ନେଉଛନ୍ତି ପାଣି । ପୁରୀ ଜିଲ୍ଲା କଣାସ ବ୍ଲକରେ ଜଳ ଯନ୍ତ୍ରଣା । ଚିଲିକା ନିକଟବର୍ତୀ କଣାସ ବ୍ଲକ ଅଣ୍ଡାଳସିଂହ ପାଞ୍ଚୟତରେ ବିଶୁଦ୍ଧ ପାଣି ଟୋପେ ପାଇଁ କଲବଲ ହେଉଛନ୍ତି ଲୋକେ । ଟିକେ ଭଲ ଭାବରେ ନଜର ପକାନ୍ତୁ ଗ୍ରାମ ମୁଣ୍ଡରେ ରହିଥିବା ପୋଖରୀ ଉପରେ । ପୋଖରୀ ଚାରୀପାଖରେ ପଡିଛି କୁଢ କୁଢ ଅଳିଆ ଅବର୍ଜନା । ଖରା ଆରମ୍ଭରୁ ପୋଖରୀରୁ ପାଣି କମିଗଲାଣି ।ଫଳରେ ପୋଖରୀ ପାଣି ନେଳିପଡି ଗଲାଣି । କିନ୍ତୁ ବାଧ୍ୟ ହୋଇ ଗ୍ରାମବାସୀ ପୋଖରୀ ପାଣିକୁ ରୋଷେଇ କାର୍ଯ୍ୟରେ ଏବଂ ପାନିୟ ଜଳ ଭାବେ ବ୍ୟବହାର କରୁଛନ୍ତି । ନିକଟରେ ଥିବା ଲୁଣା ନଦୀ ପାଣିକୁ ମଧ୍ୟ ବ୍ୟବହାର କରିବାକୁ ବାଧ୍ୟ ହୋଇଥାନ୍ତି ପାଞ୍ଚୟତ ବାସୀ । ଫଳରେ ନାନାଦି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।
ଫେଲ ମାରିଛି ବସୁଧା ଯୋଜନା । ମୁନ୍ଦାଏ ଜଳ ପାଇଁ ଡହଳ ବିକଳ । ନଜର ପକାନ୍ତୁ ଅଣ୍ଡାଳସିଂହ ଗ୍ରାମ ମୁଣ୍ଡରେ ରହିଥିବା ବସୁଧା ପ୍ରକଳ୍ପ ଉପରେ । ଟ୍ୟାପରୁ ପାଣି ମୁନ୍ଦାଏ ବାହାରୁନି । କିପରି ପାଇପ ଫାଟି ପାଣି ନଦୀରେ ଭାସୁଛି । ଏକ ବର୍ଷରୁ ଅଧିକ ସମୟ ହେବ ଅଣ୍ଡାଳସିଂହ ଗ୍ରାମର ନୂଆ ଜଗନ୍ନାଥ ସଡକ ମୁଣ୍ଡରେ ପାଇପ ଫାଟି ପାଣି ଲୁଣା ନଦୀକୁ ଯାଉଛି । ଫଳରେ ଗାଁକୁ ସଂଯୋଗ ହେଉଥିବା ପାଇପ୍ ରେ ପାଣି ପହଂଚିପାରୁନଥିବାରୁ ନାହିଁ ନଥିବା କଲବଲ ହେଉଛନ୍ତି ଲୋକେ । ପଞ୍ଚାୟତବାସୀ ବାରମ୍ବାର ବ୍ଲକ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି , ହେଲେ କିଛି ଲାଭ ହୋଇନି । ସେପଟେ ମାଢିପୁର ଓ ବକୁଳିସାହି ଗାଁକୁ ଆଜି ପର୍ଯ୍ୟନ୍ତ ପାଇପ୍ ପାଣି ପହଂଚିପାରିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।
