ଭୁବନେଶ୍ବର : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନକୁ ଆଜି ଅଣ୍ଡାମାଡ଼ କରିଛି ଛାତ୍ର କଂଗ୍ରେସ । ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣା ଓ ଜାଲ ସାର୍ଟିଫିକେଟ୍ ଆଡମିସନ୍ ପ୍ରସଙ୍ଗରେ ଛାତ୍ର କଂଗ୍ରେସର ସଦସ୍ୟମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କ ବାସଭବନ ଘେରାଉ କରିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଉପସ୍ଥିତ ପୁଲିସ ଛାତ୍ର କଂଗ୍ରେସର କର୍ମକର୍ତାଙ୍କୁ ଅଟକାଇବାରେ ସଫଳ ହୋଇଥିଲା । ସରକାର ଜାରି କରିଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର ସହିତ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିବା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିକ୍ଷୋଭକାରୀ ଦାବି କରିଛନ୍ତି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ କରିଛନ୍ତି ଯେ ଘରୋଇ ମହାବିଦ୍ୟାଳୟ ମାଲିକଙ୍କ ପ୍ରରୋଚନା ଓ ମାଲିକଙ୍କଠାରୁ ଅନୁଗୃହୀତ ହୋଇ ରାଜ୍ୟ ଶିକ୍ଷାମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । କୁଳାଧିପତିଙ୍କ ସଚିବ ଶାଶ୍ବତ ମିଶ୍ର ମଧ୍ୟ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ । ଏହି ଚକ୍ରାନ୍ତରେ ରାଜ୍ୟପାଳଙ୍କୁ ବ୍ୟବହାର କରାଯାଇଛି । ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନର ମାଲିକମାନେ କିଭଳି ଲାଭବାନ ହେବେ ଓ ଗରିବ ଓ ମଧ୍ୟବିତ୍ତ ବର୍ଗର ଛାତ୍ରଛାତ୍ରୀମାନେ କିଭଳି ସର୍ବସ୍ବାନ୍ତ ହେବେ ସେହି ଉଦ୍ଦେଶ୍ୟରେ ଏଭଳି କଟକଣା ଜାରି କରାଯାଇଛି ।
ତେଣୁ ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ଛାତ୍ର କଂଗ୍ରେସର ସାଧାରଣ ସଂପାଦକ ରଜତ ଚୌଧୁରୀ କହିଛନ୍ତି ଯେ ମନ୍ତ୍ରୀ ଶ୍ରୀ ସାହୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ସେ ମନ୍ତ୍ରୀ ହେବା ଦିନଠାରୁ କିଛି ନା କିଛି କେଳେଙ୍କାରୀ କରି ଚାଲିଛନ୍ତି । ସବୁ କଲେଜରେ ଜାଲ ସାର୍ଟିଫିକେଟ୍ରେ ଆଡମିସନ୍ ହେଉଛି । ଏଥିପାଇଁ ମେଧାବୀ ଛାତ୍ରଛାତ୍ରୀମାନେ କଲେଜରେ ଆଡମିସନ୍ ନେଇପାରୁ ନାହାନ୍ତି । ଯେଉଁମାନେ କମ୍ ମାର୍କ ରଖୁଛନ୍ତି ସେମାନେ ଜାଲ୍ ସାର୍ଟିଫିକେଟ୍ ଦେଇ ଆଡିମସନ୍ କରୁଛନ୍ତି । ଗରିବ ପିଲାମାନେ ସରକାର ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସ କରୁଥିଲେ । ମାତ୍ର ମନ୍ତ୍ରୀ ଓ ତାଙ୍କ ସଚିବଙ୍କ ମଧୁଚନ୍ଦ୍ରିକାରେ ଏହାକୁ ବନ୍ଦ କରି ଦିଆଯାଇଛି । ଯଦି ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ନ ଦିଅନ୍ତି ତାହାଲେ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଛନ୍ତି । ଏହି ଘେରାଉ କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, କିରଣ ସାହୁ, ନିହାର ବେହେରା, ରଣଜିତ ପାତ୍ର, ଅଜୟ ସାହୁ, ସ୍ବାଗତ କର, ନଳିନୀକାନ୍ତ ନାୟକ, ରଣଜିତ ସେନାପତି, ବିଶ୍ବଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ଜଗଦୀଶ ଗଜେନ୍ଦ୍ର, ଶାହରୁଖ ଖାନ, ନିତେଶ ରଂଜନ ବେହେରା, ବିଭୂତି ଭୂଷଣ ମହାପାତ୍ର, ବଟକୃଷ୍ଣ ରାଉତରାୟ, କାର୍ତିକେଶ୍ବର କାଣ୍ଡି, ଉଦିତ ପ୍ରଧାନ, ସୁନିଲ ସାହୁ, ତାପସ ସ୍ବାଇଁ, ଶୁଭକାନ୍ତ ବେହେରା, ବିଶାଳ ସାହାଣି, ଯୁବରାଜ ମହାନ୍ତି, ମୁନା ପରିଡ଼ା, ରାଜଲକ୍ଷ୍ମୀ ସାହୁ, ସେକ୍ ଜାହିର ଓ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।
