କଟକ : ୨୫ ବର୍ଷ ତଳେ ପୁଲିସ ବିଭାଗ ଖୋଲିଥିବା ରାଜ୍ୟର ଏକମାତ୍ର ପୁଲିସ ସଂଗ୍ରହାଳୟରେ ଏବେ ତାଲା ଝୁଲୁଛି । ପୁଲିସ ମୁଖ୍ୟାଳୟରେ ଥିବା ଏହି ସଂଗ୍ରହାଳୟରେ ବ୍ରିଟିସ୍ ଅମଳ ବନ୍ଧୁକଠାରୁ ଆରମ୍ଭ କରି ଖଣ୍ଡା, ପୋଷାକ ଓ ଗୁରୁତ୍ବପୂର୍ଣ୍ଣ ଚିଠିପତ୍ର ଭଳି ବହୁ ବିରଳ ସାମଗ୍ରୀ ସାଇତା ରଖାଯାଇଥିଲା । ସଂଗ୍ରହାଳୟ ଭିତର ବୁଲି ଦେଖିବାକୁ ପ୍ରଥମେ କେବଳ ପୁଲିସ କର୍ମଚାରୀଙ୍କୁ ଅନୁମତି ଥିଲା । ପରେ ସାଧାରଣ ଦର୍ଶକଙ୍କ ପରିଦର୍ଶନ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସେ ନିଷ୍ପତ୍ତି ତ କାର୍ଯ୍ୟକାରୀ ହେଲାନି, ବରଂ ଏଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଥିବା ସଂଗ୍ରହାଳୟରେ ଏବେ ସମ୍ପୂର୍ଣ୍ଣ ତାଲା ପକାଇ ଦିଆଯାଇଛି । ସଂଗ୍ରହାଳୟ ବନ୍ଦ କରିବା ପଛରେ ପୁଲିସ ବିଭାଗର କି ମହତ ଉଦ୍ଦେଶ୍ୟ ରହିଛି, ସେ ନେଇ କୌଣସି ପ୍ରକାର ସୂଚନା ମିଳିପାରୁନାହିଁ ।
ତଥ୍ୟ ଅନୁଯାୟୀ, ୧୯୯୬ ଏପ୍ରିଲ ପହିଲାରେ ତତ୍କାଳୀନ ପୁଲିସ ଡିଜିପି ଅମୀୟ ଭୂଷଣ ତ୍ରିପାଠୀ ପୁଲିସ ମୁଖ୍ୟାଳୟରେ ଓଡ଼ିଶା ପୁଲିସ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧୯୯୭ ଅଗଷ୍ଟ ୨୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସଂଗ୍ରହାଳୟର ଉଦ୍ଘାଟନ କରିଥିଲେ । ବ୍ରିଟିସ୍ ଅମଳର ପୁଲିସ ବ୍ୟବହାର କରୁଥିବା ସାମଗ୍ରୀ ନଷ୍ଟ ହୋଇଯାଉଥିବାରୁ ଏହାକୁ ସଂଗ୍ରହ କରାଯିବାକୁ ସଂଗ୍ରହାଳୟ ପାଇଁ ରାଜ୍ୟର ୩୦ଟି ପୁଲିସ ଜିଲ୍ଲାରୁ ପୁରୁଣା କ୍ୟାମେରା, ବ୍ରିଟିସ୍ ଅମଳର ପୁଲିସ ବିଭାଗର ଚିଠିପତ୍ର, ଲଣ୍ଠନ, ଖଣ୍ଡା, ଢାଲ, ବନ୍ଧୁକ, କନଷ୍ଟେବଳମାନେ ପିନ୍ଧୁଥିବା ନାଲି ରଙ୍ଗର ପଗଡ଼ି, ପୁଲିସ କର୍ମଚାରୀମାନେ ପିନ୍ଧୁଥିବା ହାପ୍ ପ୍ୟାଣ୍ଟ, ସିଗନାଲ୍ ଟ୍ରାନସମିଟର୍, ଓୟାରଲେସ୍ ଟାଇପ୍ ହେଉଥିବା ଟାଇପ୍ ମେସିନ୍, ସହିଦ ହୋଇଥିବା ବୀର ପୁଲିସ କର୍ମଚାରୀଙ୍କ ଫଟୋ ଇତ୍ୟାଦି ସଂଗ୍ରହ କରାଯାଇ ପୁଲିସ ମୁଖ୍ୟାଳୟକୁ ଅଣାଯାଇଥିଲା । ବ୍ରିଟିସ୍ ଅମଳର ଏଭଳି ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ସ୍ମୃତି ସଂଗ୍ରହ କରାଯାଇଥିଲା । ଆରମ୍ଭ ପରଠାରୁ ପୁଲିସ ବିଭାଗର ଅଫିସର ଓ କର୍ମଚାରୀମାନେ ନିଜର ପରିଚୟପତ୍ର ଦେଖାଇ ସଂଗ୍ରହାଳୟ ଭିତରକୁ ଯିବାକୁ ଅନୁମତି ମିଳିଥିଲା । ସକାଳ ୧୦ଟା ରୁ ଅପରାହ୍ନ ୫ଟା ଯାଏ ସଂଗ୍ରହାଳୟ ଖୋଲିଥିଲା । ଦାୟିତ୍ବରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।
କୁହାଯାଉଛି ଯେ, ପୁଲିସ ମୁଖ୍ୟାଳୟ ଭିତର ପଟେ ଏହି ରାସ୍ତା ଥିବାରୁ ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କୁ ଯିବାକୁ ଅନୁମତି ଦିଆଗଲା ନାହିଁ । ସମୟ କ୍ରମେ ମ୍ୟୁଜିୟମରେ ତାଲା ଝୁଲିଲା । ଦାୟିତ୍ବରେ ଥିବା ଦୁଇ କର୍ମଚାରୀଙ୍କୁ ବି ସେଠାରୁ ହଟାଇ ଦିଆଗଲା । ପୁଲିସ ବିଭାଗର ଲୋଗୋ, ପତାକା, ପୋଷାକ ଇତ୍ୟାଦି ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ନ୍ୟାସ୍ନାଲ ପୁଲିସ ଏକାଡେମୀ(ଏସ୍ଭିପିଏନ୍ପିଏ)ରେ ଖୋଲିଥିବା ସ˚ଗ୍ରହାଳୟକୁ ପଠାଯାଇଥିଲା । ସେଠାରେ ଓଡ଼ିଶା ପୁଲିସର ଏହି ସାମଗ୍ରୀ ପ୍ରଦର୍ଶିତ ହେଉଥିବା ବେଳେ, ଓଡ଼ିଶା ପୁଲିସର ସଂଗ୍ରହାଳୟରେ ତାଲା ଝୁଲିଲାଣି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୧୯ରେ ରାଜ୍ୟ ପୁଲିସ ହାଉସିଂ ଏବଂ କଲ୍ୟାଣ ନିଗମ ଦ୍ବାରା ସଂଗ୍ରହାଳୟର ଆଧୁନିକୀକରଣ କରିବା ପାଇଁ ଗ୍ୟାଲେରି ନିର୍ମାଣ ସହିତ ବ୍ରିଟିସ୍ ଅମଳର ସାମଗ୍ରୀ ସଜାଇବାକୁ ବାହାର ପଟକୁ ଆଉ ଗୋଟିଏ ରାସ୍ତା ଖୋଲିବାକୁ ନିଷ୍ପତ୍ତି ହେଲା । ଏଥିପାଇଁ ପାଖାପାଖି ୪ ଲକ୍ଷ ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିଲା । ସର୍ବସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ପ୍ରବେଶ ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତ୍ତି କରାଗଲା । କିନ୍ତୁ ତାହା ବି କାର୍ଯ୍ୟକାରୀ ହେଲାନାହିଁ ।
ଅନ୍ୟପଟେ ଏଭଳି ସଂଗ୍ରହାଳୟ ସାଧାରଣ ଲୋକଙ୍କ ପାଇଁ ଖୋଲାଗଲେ ଏହା ଦ୍ବାରା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ବ୍ରିଟିସ୍ ଶାସନ ସମୟରରେ ରାଜ୍ୟରେ ପୁଲିସ ବ୍ୟବସ୍ଥା ସମ୍ପର୍କରେ ଅନେକ କିଛି ତଥ୍ୟ ଜାଣିପାରିବେ ବୋଲି ମତ ପ୍ରକାଶ ପାଉଛି । ଜ୍ଞାନ ହାସଲ ପାଇଁ ଏକ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବାହାର ପଟେ ଆଉ ଏକ ବାଟ ଖୋଲି ଜନସାଧାରଣଙ୍କୁ ଯିବାକୁ ଅନୁମତି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ବଦଳରେ ଏହାକୁ ବନ୍ଦ କରିବା ଘଟଣା ଅନେକଙ୍କୁ ଚକିତ କରିଛି । ପୂର୍ବରୁ ଯେଉଁ ଦୁଇ କର୍ମଚାରୀ ସଂଗ୍ରହାଳୟର ଦାୟିତ୍ବରେ ଥିଲେ ସମୟ କ୍ରମେ ସେମାନଙ୍କୁ ହଟାଇ ଦିଆଯାଇଥିବାରୁ ଏବେ କେହି କର୍ମଚାରୀ ସଂଗ୍ରହାଳୟ ଦାୟିତ୍ବରେ ନଥିବା କୁହାଯାଉଛି ।
ଅବସରପ୍ରାପ୍ତ ପୁଲିସ ଡିଜି ଗୋପାଳ ନନ୍ଦ ଏ ସମ୍ପର୍କରେ କହିଛନ୍ତି ଯେ ଅମୀୟ ଭୂଷଣ ତ୍ରିପାଠୀଙ୍କ ସମୟରେ ଆରମ୍ଭ ହୋଇଥିବା ପୁଲିସ ସଂଗ୍ରହାଳୟରେ ପୁଲିସର ପୁରୁଣା ଅସ୍ତ୍ରଶସ୍ତ୍ର ଓ ପୋଷାକ ସାଇତା ହୋଇ ରହିଛି । ସଂଗ୍ରହାଳୟକୁ ଯିବାକୁ ଭିତର ପଟେ ଏବେ ବାଟ ଥିବାବେଳେ, ସୁରକ୍ଷା ଦୃଷ୍ଟିରୁ ବାହାରୁ ପଟେ ଆଉ ଏକ ବାଟ କରାଗଲେ ସର୍ବସାଧାରଣଙ୍କ ଚଳପ୍ରଚଳ ବାହାର ପଟୁ ହୋଇପାରିବ । ଏହା ପର୍ଯ୍ୟଟକଙ୍କ ପାଇଁ ଉପଯୋଗୀ ମଧ୍ୟ ହୋଇପାରିବ ।
