ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ତାରସିଂ ପଞ୍ଚାୟତ ଅଧୀନ ଦୁର୍ଗମ କନ୍ଧସାରଳା ଗ୍ରାମ । କନ୍ଧମାଳ ସୀମାବର୍ତ୍ତୀ ଉପାନ୍ତ ଇଲାକା ଭାବେ ପରିଚିତ ଏହି ଗ୍ରାମର ୧୦୩ ପରିବାର ବର୍ଷତମାମ ଟୋପାଏ ପିଇବା ପାଣି ପାଇଁ ସଂଘର୍ଷ କରି ଆସୁଛନ୍ତି । ଏ ଯାଏ କିନ୍ତୁ ଗାଁରେ ଜଳ ଯୋଗାଣ ପାଇଁ କୌଣସି ସରକାରୀ ଯୋଜନା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇପାରୁନି । ଗ୍ରାମରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ନେଉଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନଦୀରେ ଚୁଆ ଖୋଳି ଦୂଷିତ ଓ ଗୋଳିଆ ପାଣି ପିଉଛନ୍ତି । ଗତ ଦୁଇ ମାସରୁ ଅଧିକ ସମୟରେ ହେଲା ଗ୍ରାମରେ ଏହି ସ୍ଥିତି ଜାରି ରହିଛି । ରାତି ପାହିବା ମାତ୍ରେ ଗାଁର ମହିଳାମାନେ ହାଣ୍ଡି ଓ ମାଠିଆ ଧରି ନଦୀ ଅଭିମୁଖେ ଯାଉଛନ୍ତି ।
ପିଇବା ପାଣି ସମସ୍ୟାକୁ ନଜରରେ ରଖି ଗତ ପାଞ୍ଚ ବର୍ଷ ତଳେ ଗ୍ରାମବିକାଶ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଠାରେ ଏକ ବୋର୍ୱେଲ୍ ନିର୍ମାଣ ହୋଇଥିଲା । ଓଭରହେଡ୍ ଟାଙ୍କି ମାଧ୍ୟମରେ ଜଳ ଯୋଗାଣ ହେବାରୁ ଗ୍ରାମବାସୀ ଆଶ୍ବସ୍ତ ହୋଇଥିଲେ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି । ଇନ୍ଟେକ୍ ୱେଲ୍ ପୋତି ହୋଇ ଯାଇଥିବା ବେଳେ ପାଣି ମୋଟର୍ ବି ଅଚଳ । ଖରାଦିନେ ଅନ୍ୟ ଜଳାଶୟଗୁଡ଼ିକର ଜଳସ୍ତର ମଧ୍ୟ କମିଯାଇଛି । ଫଳରେ ଗ୍ରାମବାସୀ ବାଧ୍ୟ ହୋଇ କୋକଲବା ନିକଟ ବୋଡ଼ାନଦୀରେ ଚୁଆ ଖୋଳି ପାଣି ବାହାର କରି ଏହାକୁ ବ୍ୟବହାର କରୁଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଟୋପାଏ ପାଣି ପାଇଁ ମହିଳାମାନେ ନଦୀକୁ ଧାଡ଼ି ବାନ୍ଧି ଯାଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଦୁଇ ଦିନ ଧରି ବର୍ଷା ଯୋଗୁଁ ନଦୀରେ ପାଣି ଆସି ଚୁଆଗୁଡ଼ିକ ପୋତି ହୋଇଯାଇଛି । ନଦୀରେ ଗୋଳିଆ ପାଣି ସୁଅ କାଟୁଛି । ନିରୁପାୟ ଗ୍ରାମବାସୀ ଏହି ଗୋଳିଆ ପାଣିକୁ ହିଁ ପିଇବା ପାଇଁ ବ୍ୟବହାର କରୁଛନ୍ତି । ଫଳରେ ଗ୍ରାମବାସୀ ଅସୁସ୍ଥ ହେବା ଆଶଙ୍କା ଦେଖାଦେଇଛି । ଏ ନେଇ ପ୍ରଶାସନ ଓ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ, କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
