ଅସ୍ତିତ୍ବ ହରାଇଛି ଯଶିପୁର ଓ କାଦଡ଼ିହା ‘ଚିନାମାଟି ଖଣି’

ଯଶିପୁର : ଚିନାମାଟି ପାଇଁ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରସିଦ୍ଧି ଲାଭ କରିଥିବା ‘ଯଶିପୁର ଚିନାମାଟି ଖଣି’ ଓ ରୁଗୁଡ଼ି ପଞ୍ଚାୟତର ‘କାଦଡ଼ିହା ଚିନାମାଟି ଖଣି’ ଏବେ ଅସ୍ତିତ୍ବ ହରାଇବାକୁ ବସିଛି । ଯଶିପୁରର ଚିନାମାଟି ଖଣି କାର୍ଯ୍ୟ ୨୦୦୩ ମସିହାରୁ ସଂପୂର୍ଣ୍ଣ ବନ୍ଦ ରହିବା ଫଳରେ କାର୍ଯ୍ୟରତ ପାଖାପାଖି ୫ ଶହ ପରିବାର ରୋଜଗାର ହରାଇବା ସହ ଦୁର୍ବିଷହ ଜୀବନଯାପନ କରୁଛନ୍ତି ।

ଯଶିପୁର ବଜାରଠାରୁ ମାତ୍ର ଦେଢ଼ କିମି ଦୂର ଖଇରୀ-ଭଣ୍ଡନ ନଦୀଦ୍ୱୟ ମିଳନସ୍ଥଳ କଡ଼ରେ ଚିନାମାଟି ଖଣି ସ୍ବାଧୀନତା ପୂର୍ବରୁ ଆବିଷ୍କୃତ ହୋଇଥିଲା । ରାଇରଙ୍ଗପୁର ଅଞ୍ଚଳରେ ବିଶିଷ୍ଟ ବ୍ୟବସାୟୀ ବଜରଙ୍ଗଲାଲ ପାଡ଼ିଆ ୧୯୪୩ ମସିହାରେ ତତ୍କାଳୀନ ମୟୂରଭଞ୍ଜ ମହାରାଜାଙ୍କ ଠାରୁ ଖଣି ପଟ୍ଟା ପାଇ ଖଣିରୁ କଞ୍ଚାମାଲ ଉତ୍ତୋଳନ ଆରମ୍ଭ କରିଥିଲେ । ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ଚିନାମାଟି ଖଣି ଶିଳ୍ପ କ୍ଷେତ୍ରରେ ଭାରତରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଏଠାରୁ ବାହାରୁ ଥିବା ଚିନାମାଟିକୁ ପ୍ରୋସେସିଂ କରାଯାଇ ଗୁଜରାଟ, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ବାଂଲାଦେଶ, ପାକିସ୍ତାନ ଓ ଥାଇଲାଣ୍ଡ ଭଳି ଦେଶକୁ ପଠାଯାଉଥିଲା । ଏହି ଚିନାମାଟି ଅନ୍ୟୂନ ଶହେ ପ୍ରକାର ସାମଗ୍ରୀ ନିର୍ମାଣରେ ବ୍ୟବହାର ହେଉଥିଲା ।

ପକ୍କାଘର ଚଟାଣ ଟାଇଲ୍, ବ୍ଲିଚିଂ ପାଉଡର, ବିଭିନ୍ନ ପ୍ରଶାଧନ ସାମଗ୍ରୀ ପ୍ରସ୍ତୁତ ଆଦି ବହୁବିଧ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ୧୯୮୪ ମସିହାରୁ ଏଠାରେ ପରିଚାଳକ ଭାବେ କୁଳମଣି ସାମନ୍ତ କାର୍ଯ୍ୟ କରି ଆସୁଥିଲେ । ଖଣି ବନ୍ଦ ପରେ ମଧ୍ୟ ୨୦ ବର୍ଷ ଧରି ସପରିବାର ଖଣି ପରିସରରେ ସେ ବସବାସ କରି ଆସୁଛନ୍ତି । ୧୯୪୩ ମସିହା ପରେ ଏହି ଖଣି ଅରୁଣ ଉଦ୍ୟୋଗ ନାମରେ ପରିଚାଳିତ ହେଉଥିଲା । ଚତୁର୍ଥ ଲିଜ୍‌ ଅବଧି ୨୦୦୩ ମସିହାରେ ଶେଷ ହେବା ପରେ ଖଣି ଉପରେ ନିର୍ଭର କରୁଥିବା ଶ୍ରମିକଙ୍କ ପାଇଁ ଦୁର୍ଦ୍ଦିନ ଆସିଥିଲା । ଖଣି ନବୀକରଣ ବ୍ୟୟବହୁଳ ଓ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନ ମିଳିବାରୁ ଧୀରେ ଧୀରେ ଖଣି ବନ୍ଦ ହୋଇଗଲା । ଏହାପରେ ଆଉ ଖଣି ନବୀକରଣ ହୋଇ ପାରିନାହିଁ । ପ୍ରୋସେସିଂ ୟୁନିଟ୍‌ ଏବେ ଭୂତକୋଠିରେ ପରିଣତ ହୋଇଛି । ଆଖପାଖ ଅଞ୍ଚଳର ପ୍ରାୟ ୫ଶହ ଶ୍ରମଜୀବୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ସୂଚନାଯୋଗ୍ୟ, ଏଠାରେ କାର୍ଯ୍ୟରତ ଶ୍ରମିକ ଖଣିର ଲାଭାଂଶରୁ ବାର୍ଷିକ ପ୍ରାୟ ୧୩ ଲକ୍ଷ ଟଙ୍କାର ବୋନସ ପାଉଥିଲେ । ବହୁ ଶ୍ରମିକଙ୍କ ନାଁରେ ଥିବା ଭବିଷ୍ୟନିଧି ପାଣ୍ଠି ସରକାରୀ ଅବହେଳାରୁ ଉଠାଯାଇ ପାରୁ ନ ଥିବା ଭଳି ସମସ୍ୟା ଉପୁଜିଛି । ଶ୍ରମିକଙ୍କ ବିଭିନ୍ନ ସମସ୍ୟା ପାଇଁ ଯଶିପୁରର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକଙ୍କ ନେତୃତ୍ବରେ ମୟୂରଭଞ୍ଜ ଜୋନାଲ ‘ଚିନାମାଟି ଖଣି ଶ୍ରମିକ ସଂଘ’ ଗଠିତ ହୋଇଥିଲା । ଶ୍ରମିକଙ୍କ ବାରମ୍ବାର ଦାବି ସତ୍ତ୍ବେ କର୍ତ୍ତୃପକ୍ଷ ଖଣି ଚଳାଇବା ପାଇଁ ଅକ୍ଷମ ହେବାରୁ ଶେଷରେ ଖଣି ବନ୍ଦ ହୋଇଗଲା ।

ସେହିପରି ରୁଗୁଡ଼ି ପଞ୍ଚାୟତ କାଦଡ଼ିହାଠାରେ ଥିବା ‘କାଦଡ଼ିହା ଚିନାମାଟି ଖଣି’ ଏବେ ବହୁ ସମସ୍ୟା ଦେଇ ଗତି କରୁଛି । ୧୯୭୫ ମସିହାରେ ୪୦୫ ହେକ୍ଟର ପରିମିତ ଜମିରେ ଲିଜ୍ ପାଇ ୧୯୮୧ ମସିହାରୁ ଖଣି ଖନନ ଆରମ୍ଭ ହୋଇଥିଲା । ଏଥିରେ ୩୦୦ ରୁ ଊର୍ଦ୍ଧ୍ବ ଶ୍ରମିକ ନିଯୁକ୍ତି ପାଇ ପରିବାର ଚଳାଇ ଆସୁଥିଲେ । ଜଗଦୀଶ ମାଇନସ ଆଣ୍ଡ ମେଟାଲ୍ କମ୍ପାନି ଏହାର ପରିଚାଳନା ଦାୟିତ୍ବରେ ଥିବା ବେଳେ କିଛିବର୍ଷ ହେବ ଏଠାରୁ କଞ୍ଚାମାଲ ଉତ୍ତୋଳନ ହ୍ରାସ ପାଇ ଏବେ ବହୁ ଶ୍ରମିକ ରୋଜଗାର ହରାଇ ବେକାର ହୋଇ ଘରେ ବସିଛନ୍ତି । ଏବେ ଏଠାରେ ଦୈନିକ ୨୫/୩୦ ଜଣ ଶ୍ରମିକ କାମ କରୁଥିବା ବେଳେ ସରକାରଙ୍କ କଟକଣା ବାଧକ ସାଜିଛି । ରାଜ୍ୟ ବାହାରକୁ ରପ୍ତାନି ବେଳେ ଲାଇସେନ୍ସ ନିୟମ ବହୁ ବ୍ୟୟସାପେକ୍ଷ ହେଉଥିବାରୁ ଅଧିକ କଞ୍ଚାମାଲ ଉତ୍ତୋଳନ କରି ବାହାରକୁ ଚାଲାଣ କରିବା ସମ୍ଭବ ହେଉନଥିବା ଖଣି କର୍ତ୍ତୃପକ୍ଷ ଜେସି ବୁଦ୍ଧରାଜ କହିଛନ୍ତି । ଯଶିପୁର ଅଞ୍ଚଳର ଗୌରବ ତଥା ଭୂଗୋଳ ପାଠ୍ୟପୁସ୍ତକରେ ସ୍ଥାନ ପାଇଥିବା ଏହି ଐତିହାସିକ ଖଣି ଚାଲୁ ହେଲେ ଶତାଧିକ ଶ୍ରମଜୀବୀ ପରିବାର ଜୀବନଜୀବିକା ଫେରି ପାଇବା ସହ ଉତ୍ପାଦିତ ସାମଗ୍ରୀ ରପ୍ତାନୀ ହେଲେ ରାଜସ୍ବ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *