ଚାନ୍ଦବାଲୀ : ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେବି କୁନିକୁନି ପିଲାମାନେ ଗଛ ମୂଳେ ବସି ପାଠ ପଢୁଛନ୍ତି । ବର୍ଷା ଦିନ ଆସିଲେ ପାଠପଢା କଥା ନ କହିବା ଭଲ । ଏପରି ନଗ୍ନଦୃଶ୍ୟ କୌଣସି ଉପାନ୍ତ ଇଲାକାର ନୁହେଁ ଏହା ହେଉଛି ଚାନ୍ଦବାଲି ବ୍ଳକର ନାଲଗୁଣ୍ଡା ଗ୍ରାମପଞ୍ଚାୟତ ଉଟାଗୋଠ ଗ୍ରାମରେ ।
ଏହି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ଏବେ ବିପଦ ସଂକୁଳ ଅବସ୍ଥାରେ ଅଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଉକ୍ତ ବିଦ୍ୟାଳୟରେ ୧୧୯ ଜଣ ଛାତ୍ରଛାତ୍ରୀ ପାଠପଢ଼ନ୍ତି । ମୋଟ ଆଠଟି ଶ୍ରେଣୀ ଅଛି । କିନ୍ତୁ ଶ୍ରେଣୀ ଗୃହରରେ ଗୋଟିକ ଛାତରେ କଣା ହୋଇ ପାଣି ଝରୁଛି ଓ ଖଣ୍ଡ ଖଣ୍ଡ ହୋଇ ଛାତ ଖସୁଛି । ଯାହାକୁ ଦେଖି ଭୟଭିତ ଅବସ୍ଥାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ।
ବର୍ଷାଦିନେ ନିଜ ଜୀବନକୁ ପାଣି ଛଡାଇ ଗୋଟିଏ ଶ୍ରେଣୀଗୃହରେ ସମସ୍ତେ ଜୀବନ ବିକଳରେ ବସନ୍ତି । ଏଥିରୁ ଅନୁମାନ କରିପାରୁ ଥିବେ ଶିକ୍ଷାଦାନର ବ୍ୟବସ୍ଥା କିପରି ଚାଲିଛି । ସେପଟେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଆବଶକୀୟ ଶିକ୍ଷକ ବି ନାହାଁନ୍ତି । ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଙ୍ଗକୁ ୩ ଜଣ ସହକାରୀ ଶିକ୍ଷକରେ ଚାଲିଛି ଶିକ୍ଷାଦାନ ।
ଗ୍ରାମବାସୀ ପ୍ରଶାସନ ନିକଟରେ ଯେତେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି । ଯଥାଶୀଘ୍ର ବିଦ୍ୟାଳୟକୁ ଆବଶ୍ୟକୀୟ ଶ୍ରେଣୀଗୃହ ସହ ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।
