ନାଲକୋନଗର : ନାଲ୍କୋରେ କୋଇଲା ସଂକଟ ଉତ୍କଟ ରୂପ ନେଇଛି । ନିୟମିତ କୋଇଲା ଯୋଗାଣ ନହେବାରୁ ବର୍ତ୍ତମାନ ମାତ୍ର ଦେଢ଼ଲକ୍ଷ ଟନ୍ କୋଇଲା ଗଚ୍ଛିତ ଅଛି । ଏଥିରେ ୪୦ ହଜାର ଟନ କାର୍ପେଟ୍ କୋଲ୍ ଅଛି, ଯାହାକି ସମ୍ପୂର୍ଣ୍ଣ ଅନୁପଯୋଗୀ କୋଇଲା । ପ୍ରତିଦିନ ନାଲକୋ ୧୮ ହଜାରରୁ ୧୯ ହଜାର ଟନ୍ କୋଇଲା ଆବଶ୍ୟକ କରୁଛି । ଏବେ ଡ୍ରାଇଭର ଆନ୍ଦୋଳନ ଯୋଗୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ବେଳେ ଆଉ ୫ ଦିନ ଭିତରେ ଗଚ୍ଛିତ କୋଇଲା ଶେଷ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏହି ସ୍ଥିତିର ସମୀକ୍ଷା ପାଇଁ ଆସନ୍ତାକାଲି ନାଲକୋ ନିର୍ଦ୍ଦେଶକ ଉତ୍ପାଦନ (ଏସ୍ ଆଣ୍ଡ ପି) ବିଜୟ ଦାସ ନାଲକୋକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି । କୋଇଲା ଯୋଗାଣ ନେଇ ନାଲ୍କୋ ଓ ଏମ୍ସିଏଲ ମଧ୍ୟରେ ଚୁକ୍ତିନାମା ଅନୁଯାୟୀ ୨୦୧୮ ଏପ୍ରିଲରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏମ୍ସିଏଲ ବର୍ଷକୁ ୪୭ ଲକ୍ଷ ୧୬ ହଜାର ମେଟ୍ରିକ ଟନ୍ ଲିଙ୍କେଜ୍ କୋଇଲା ଓ ୯ ଲକ୍ଷ ମେଟ୍ରିକ ଟନ୍ ବ୍ରିଜ ଲିଙ୍କେଜ କୋଇଲା ନାଲ୍କୋକୁ ଯୋଗାଣ କରିବା କଥା । କିନ୍ତୁ ୨୦୨୧/୨୨ ଆର୍ଥିକ ବର୍ଷରେ ଏମସିଏଲ୍ ୩୯ ଲକ୍ଷ ଲିଙ୍କେଜ୍ କୋଇଲା ଓ ୩ ଲକ୍ଷ ମେଟ୍ରିକ୍ ଟନ୍ ବ୍ରିଜ ଲିଙ୍କେଜ କୋଇଲା ଯୋଗାଣ କରିଥିଲା । ଏହା ଚୁକ୍ତିନାମା ଠାରୁ ୧୪ ଲକ୍ଷ ମେଟ୍ରିକ୍ ଟନ୍ କମ୍ । ତେଣୁ ନାଲ୍କୋକୁ ରାଜ୍ୟ ଗ୍ରିଡ୍ରୁ ଜୁଲାଇ ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦୈନିକ ୨୦୦ ମେଗାୱାଟ ବିଦ୍ୟୁତ କିଣିବାକୁ ପଡ଼ିଥିଲା । ପ୍ରତିବର୍ଷ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ସର୍ବାଧିକ ୫ ଲକ୍ଷ ଟନରୁ ଅଧିକ କୋଇଲା ଗଚ୍ଛିତ ରଖିବାକୁ ଥିବା ବେଳେ ଯୋଗାଣ ଅଭାବରୁ ନାଲକୋ ମାତ୍ର ୩ ଲକ୍ଷ ଟନ କୋଇଲା ଗଚ୍ଛିତ ରଖିପାରିଥିଲା । କିନ୍ତୁ ପରେ ନିୟମିତ କୋଇଲା ଯୋଗାଣ ନହେବାରୁ ବର୍ତ୍ତମାନ ଦେଢ଼ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି । ଏଥିସହିତ ବର୍ଷାଦିନ ପୂର୍ବରୁ ଅଧିକ କୋଇଲା ଗଚ୍ଛିତ ରଖିବା ଦରକାର ହେଉଛି । କିନ୍ତୁ ଏମସିଏଲ୍ ହାରାହାରି ଦୈନିକ ୧୩ ହଜାରରୁ ୧୪ ହଜାର ଟନ୍ କୋଇଲା ନାଲ୍କୋକୁ ଯୋଗାଣ କରୁଛି । ଫଳରେ ନାଲକୋରେ ଗଚ୍ଛିତ କୋଇଲା ପରିମାଣ ହ୍ରାସ ପାଉଛି ।
ଅନ୍ୟପକ୍ଷରେ, ଦୈନିକ ନାଲକୋ ସିପିପିର ୧୦ ୟୁନିଟ୍ ମଧ୍ୟରୁ ୮ଟି ୟୁନିଟରୁ ୯୧୦ ରୁ ୯୧୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି । ସେଥିରୁ ସ୍ମେଲଟର୍ ପାଇଁ ୭୯୨ ମେଗାୱାଟ, ଦାମନଯୋଡି ପାଇଁ ୧୬ ମେଗାୱାଟ ବିଦ୍ୟୁତ୍ ଖର୍ଚ୍ଚ କରୁଥିବାବେଳେ ୧୦୦ ମେଗାୱାଟ ବିଦ୍ୟୁତ୍ ନିଜସ୍ବ ସହାୟକ ଖର୍ଚ୍ଚ କରୁଛି । ନାଲକୋକୁ ନିରନ୍ତର କୋଇଲା ଯୋଗାଣ ନହେଲେ ଏହାର ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ରାଜ୍ୟ ଗ୍ରିଡ୍ ମଧ୍ୟ ନାଲକୋକୁ ଆଉ ବିଦ୍ୟୁତ୍ ପ୍ରଦାନ ପାଇଁ ନିଜର ଅକ୍ଷମତା ପ୍ରକାଶ କରିସାରିଛି । ଏଭଳି ଅବସ୍ଥା ଲାଗି ରହିଲେ ନାଲକୋର ଅବସ୍ଥା ଆଗାମୀ ଦିନରେ ଅଧିକ ସଂକଟାପନ୍ନ ହେବ । ଦିନକୁ ଇ ଅକ୍ସନ୍ କୋଇଲା ଟ୍ରକ୍ରେ ୩ ହଜାରରୁ ୪ ହଜାର ଟନ୍ ଆସୁଥିବାବେଳେ ଡ୍ରାଇଭର ମହାସଂଘ ଧର୍ମଘଟ ଯୋଗୁଁ ତାହା ମଧ୍ୟ ଦୁଇଦିନ ହେଲା ବନ୍ଦ ରହିଛି । ଫଳରେ କୋଇଲା ସଂକଟ ନାଲକୋ ପାଇଁ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି । ମାତ୍ର ୫ ଦିନରୁ ୬ ଦିନ ପାଇଁ ମାତ୍ର କୋଇଲା ଗଚ୍ଛିତ ଥିବା ସୂଚନା ଦିଆଯାଇଛି ।
