ଟଙ୍କା ଦେଲେ ମାଟ୍ରିକ ଫେଲ ପିଲାଙ୍କୁ ମିଳୁଛି ପାସ ସାର୍ଟିଫିକେଟ୍‌

ପାଟଣା : ଟଙ୍କା ଦେଲେ ମାଟ୍ରିକ ଫେଲ ପିଲାଙ୍କୁ ମିଳୁଛି ପାସ ପ୍ରମାଣ ପତ୍ର । ଏପରିକି ତୃତୀୟ ଶ୍ରେଣୀରୁ ପ୍ରଥମ ଶ୍ରେଣୀରେ ପାସ କରିଥିବା ପ୍ରମାଣପତ୍ର ପାଇବା ପାଇଁ ୨୫ ହଜାରରୁ ୫୦ ହଜାର ଟଙ୍କା ନିଆଯାଉଛି । କେବଳ ମାଟ୍ରିକ ପ୍ରମାଣପତ୍ର ନୁହେଁ, +୨, +୩ ହଉକି ଏମ.ଏ, ଏମ.ଏସ୍.ସି, ଏମ କମ୍ ଆଦି ପ୍ରମାଣ ପତ୍ର ଓ ମାର୍କସିଟ ମଧ୍ୟ ମିଳୁଛି । ଇଞ୍ଜିନିୟରିଂରେ ଡିପ୍ଲୋମା ହେଉ କି ଡିଗ୍ରୀ, ସିଟି ହୋଉ କି ବିଇଡି ଯିଏ ଯୋଉ ଯୋଗ୍ୟତାର ପ୍ରମାଣପତ୍ର ଆବଶ୍ୟକ କରୁଛି ତାହା ସହ ଦଲାଲ ମୂଲଚାଲ କରି ଆଗୁଆ ଟଙ୍କା ନେବା ତାକୁ କିଛି ଦିନ ବ୍ୟବଧାନରେ ପ୍ରମାଣପତ୍ର, ମାର୍କ ସିଟ ଧରାଇ ଦେଉଛି । ଏପରିକି ନମ୍ବର ପଡ଼ିଥିବା ଅବିକଳ ମନେ ହେଉଥିବା ଏହି ପ୍ରମାଣପତ୍ରରେ କେତେକ ଉଚ୍ଚଶିକ୍ଷା ପାଇବାରେ ସକ୍ଷମ ହେବା ସହ କେତେକ ଶିକ୍ଷକ, ଅଧ୍ୟାପକ ମଧ୍ୟ ହୋଇ ସାରିଲେଣି । ଏପରିକି ଏମ.ଫିଲ, ପି.ଏଚ.ଡି. ପ୍ରମାଣପତ୍ର ଯୋଗାଇ ଦେବା ପର୍ଯ୍ୟନ୍ତ ମଧ୍ୟ ଏହି ଦଲାଲ ଜଣକଙ୍କ ବାଆଁ ହାତର ଖେଳ ବୋଲି କୁହାଯାଉଛି ।
ଏପରିକି ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ମାଟ୍ରିକ ଫେଲ ଛାତ୍ରୀ ଏହି ଦଲାଲଙ୍କ ଠାରୁ ପାସ ପ୍ରମାଣପତ୍ର ହାତେଇ କେନ୍ଦୁଝରର ଏକ ମହାବିଦ୍ୟାଳୟରେ ନାମ ଲେଖାଇବାରେ ସକ୍ଷମ ହୋଇଥିଲେ ମଧ୍ୟ କରୋନ । ସମୟରେ ଏହା ନକଲି ଜଣାପଡିବା ଘଟଣା ଲୋକ ଆଢୁଆଳରେ ରହିଥିବା ଜଣାପଡିଛି । ଏହି ଦଲାଲଙ୍କର ବୋର୍ଡ଼, କାଉନସିଲ୍ ଓ ବିଭିନ୍ନ ବିଶ୍ଵବିଦ୍ୟାଳୟ ଯାଏ ହାତ ଥିବାବେଳେ ସେ ଏବେ ଚାକିରିରୁ ଅବସର ନେଇ ସାରିଥିବା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ନକଲି ପ୍ରମାଣପତ୍ର ହାତେଇ ବିଭିନ୍ନ ସ୍ଥାନରେ କେତେକ ଚାକିରି କରିଥିବାବେଳେ ପାଟଣା ବ୍ଲକ ଅଞ୍ଚଳରେ ମଧ୍ୟ କିଛି ଚାକିରି ପାଇଛନ୍ତି । ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଜଳେଶ୍ଵର ଥାନା ଅଞ୍ଚଳ ଯାଏ ଏହି ନକଲି ପ୍ରମାଣପତ୍ର ଯୋଗାଇ ଦେଉଥିବା ଦଲାଲଙ୍କର ନେଟୱର୍କ ଥିବାବେଳେ କେତେକ ପଞ୍ଚାୟତ ଅଞ୍ଚଳରେ ମଧ୍ୟ ଦଲାଲଙ୍କ ମଧ୍ୟସ୍ଥି ଥିବା କୁହାଯାଉଥିବାରୁ ପ୍ରଶାସନ ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଏହି ଦଲାଲଙ୍କୁ ଠାବ କରିବା ସହ ସେ କେତେଜଣଙ୍କୁ ଏଭଳି ନକଲି ପ୍ରମାଣପତ୍ର ଯୋଗାଇ ଦେଇଛନ୍ତି ଓ କେତେ କଳାଧନ କମାଇଛନ୍ତି ତାହାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *