ବଡ଼ବିଲ : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଛୁରା ମାଡ଼, ଏଥିରେ ଯୁବକ ମୃତ । ମୃତକ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳଳର ନାଜିମ୍ ସେକ୍ । ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ନାଜିମ୍ ସେକ୍ ଟାଟା ଷ୍ଟିଲରେ ନିୟୋଜିତ ଏକ ଠିକା ସଂସ୍ଥାରେ କାମକରୁଥିଲେ । ତାଙ୍କର ଅନ୍ୟ ସହକର୍ମୀଙ୍କ ସହ ଗଣେଶ ଭବନ ଲଜ୍ ରେ ରହିଆସୁଥିଲେ । ଶନିବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ୨ ଯୁବକ ଏକ ବାଇକରେ ଲଜ୍ ନିକଟକୁ ଆସି ନାଜିମକୁ ବାହାରକୁ ଡାକିଥିଲେ । ନାଜିମ୍ ଲଜ୍ ବାହାରକୁ ଆସିବା ପରେ ସେହି ଅଜ୍ଞାତ ଯୁବକମାନେ ତାଙ୍କୁ ଛୁରାମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ ବୋଲି ନାଜିମଙ୍କ ଭାଇ ଓ ସହକର୍ମୀମାନେ କହିଛନ୍ତି ।
ଗୁରୁତର ନାଜିମଙ୍କୁ ସଙ୍ଗେ ସଙ୍ଗେ ଯୋଡ଼ା ସ୍ଥିତ ଟାଟା ମେଡିକାଲକୁ ନିଆଯାଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯୁବକଙ୍କୁ ଛୁରାମାଡ଼ ପଛର କାରଣ ଅସ୍ପଷ୍ଟ ରହିଥିବାବେଳେ, ଯୋଡ଼ା ପୋଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଆକ୍ରମଣକାରୀ ଅଭିଯୁକ୍ତମାନେ କିଏ ଏବଂ ସେମାନେ ନାଜିମକୁ କାହିଁକି ହତ୍ୟା କଲେ, ସେନେଇ ଖୋଳତାଡ଼ ଚଳାଇଛି ଯୋଡ଼ା ପୋଲିସ୍ ।
