ଭୁବନେଶ୍ୱର : ଏବେ ସୁଦ୍ଧା ୬ ଜିଲ୍ଲାକୁ ମୌସୁମୀ ଛୁଇଁସାରିଲାଣି । ଶନିବାର ରାଜ୍ୟର ଆଉ କିଛି ଜିଲ୍ଲାକୁ ଛୁଇଁବ ମୌସୁମୀ । ଉତ୍ତର ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଧିକ । ରାଜଧାନୀରେ ବି ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନରେ ଏଭଳି ଆଶା ଦେଖାଇଛନ୍ତି । ସେପଟେ ରାଜ୍ୟର କିଛି ଜିଲ୍ଲାରେ ଶୁକ୍ରବାର ଭଲ ବର୍ଷା ହୋଇଛି ।
ଶନିବାର ରାଜଧାନୀ ସମେତ ଦକ୍ଷିଣ ଓଡି଼ଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ବି ଅଛି । ମୋଟାମୋଟି କହିଲେ ଉତ୍ତର ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ଶନିବାର ମୌସୁମୀ ବର୍ଷା ହୋଇପାରେ । ଅପରାହ୍ଣରୁ ରାତି ଭିତରେ ଏହି ବର୍ଷା ସମ୍ଭାବନା ଅଧିକ । ଏଣୁ ରବିବାର ଏ ସବୁ ଜିଲ୍ଲାରେ ମୌସୁମୀ ଛୁଇଁବା ନେଇ ଘୋଷଣା ହୋଇପାରେ ବୋଲି ଡା. ପଶୁପାଳକ କହିଛନ୍ତି ।
ସେହିଭଳି ବର୍ଷା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆହୁରି କମିବ । ଭୁବନେଶ୍ୱର ତାପମାତ୍ରା ଆହୁରି ୩ ରୁ ୪ ଡିଗ୍ରୀ କମିବ । ତେବେ ଜୁନ୍ରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବ ବୋଲି ଆଗରୁ ଆକଳନ କରାଯାଇଛି । ବିସ୍ତୃତ ଅଞ୍ଚଳରେ ବର୍ଷା ହେବନି । ବର୍ଷାର ଅସମାନତା ରହିବ । ଅର୍ଥାତ୍ କିଛି ସ୍ଥାନରେ ଅଧିକ ବର୍ଷା ହେଲେ ଆଉ କିଛି ସ୍ଥାନରେ ନ ହୋଇପାରେ । କିନ୍ତୁ ଚାଷ କାମ ଆରମ୍ଭ ପାଇଁ ପାଣି ଯଥେଷ୍ଟ ହେବ ବୋଲି ଡ. ପଶୁପାଳକ କହିଛନ୍ତି ।
ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗର ବୈଜ୍ଞାନିକ ଡ. ଉମାଶଙ୍କର ଦାଶ କହିଛନ୍ତି, ଶନିବାର ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ବର୍ଷା ହେବା ପରେ ମୌସୁମୀ ବାୟୁର ଅଗ୍ରଗତି ଜଣାପଡି଼ବ । ଆଗାମୀ ୨ ରୁ ୩ ଦିନ ଭିତରେ ରାଜ୍ୟର ଆଉ କିଛି ସ୍ଥାନକୁ ମୌସୁମୀ ଛୁଇଁପାରେ ।
ଶୁକ୍ରବାର କୋରାପୁଟ, କନ୍ଧମାଳ, ନୂଆପଡ଼ା, ନୟାଗଡ଼, ଭୁବନେଶ୍ୱର ଓ କଟକରେ ଭଲ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ସର୍ବାଧିକ ୭୬ ମିଲିମିଟର ବର୍ଷା ହୋଇଛି । କନ୍ଧମାଳ ଜି.ଉଦୟଗିରିରେ ୬୫.୪ ମିଲିମିଟର, ନୂଆପଡ଼ା ଖରିଆରରେ ୫୦.୬, ଫୁଲବାଣୀରେ ୪୧.୨, ଟିକାବାଲିରେ ୩୭, ନୟାଗଡ଼ରେ ୨୯, ଚକାପାଦରେ ୨୨.୨ ଓ ପଟାଙ୍ଗୀରେ ୨୧.୨ ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱରରେ ମଧ୍ୟାହ୍ନରେ ଭଲ ବର୍ଷା ହୋଇଛି । କଟକରେ ୧୩.୨ ମିଲିମିଟର, ଚାନ୍ଦବାଲିରେ ୯.୭, ଝାରସୁଗୁଡ଼ାରେ ୮.୮, ରାୟଗଡ଼ାରେ ୩, ବୌଦ୍ଧରେ ୨ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱର ଓ ସମ୍ବଲପୁରରେ ମଧ୍ୟ ହାଲୁକା ବର୍ଷା ହୋଇଛି ।
ଆଞ୍ଚଳିକ ପାଣିପାଗ ବିଭାଗର ବର୍ଷା ସମ୍ବନ୍ଧୀୟ ପୂର୍ବାନୁମାନ କହୁଛି, ଆସନ୍ତା ୪ ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
