ମେରୁ ଉତ୍ସବ ପାଳନ ବେଳେ ଚାଲିଗଲା ଜୀବନ

ଭୁବନେଶ୍ୱର : ମେରୁ ଉତ୍ସବ ପାଳନ ବେଳେ ଚାଲିଗଲା ଜୀବନ । ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡରେ । ବିଭିନ୍ନ ଗାଁରୁ ଶୋଭାଯାତ୍ରା ବାହାରିଥିବା ବେଳେ ଦେଉଳପଲ୍ଲୀ ଓ ଦୁର୍ଗାପ୍ରସାଦ ଗାଁ ଭିତରେ ଗଣ୍ଡଗୋଳ ହୋଇଥିଲା । ପରସ୍ପର ଗାଁ ମଧ୍ୟରେ ହୋଇଥିଲା ଢେଲାମାଡ଼ । ଏଥିରେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡାଙ୍କର ମୃତ୍ୟୁ ହୋଇଛି । ଦେଉଳପଲ୍ଲୀ ଗାଁରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୮ ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ  ଅଟକ ରଖିଛି । ଗିରଫଦାରୀ ଭୟରେ ପୂରା ଗାଁ ପୁରୁଷ ଶୂନ୍ୟ ହୋଇପଡିଛି ।

ଆଉ ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲିରେ । ଗେମନ ବ୍ରିଜରୁ ଡେଇଁ ଜଣେ ଯୁବତୀ ନିଖୋଜ ଅଛନ୍ତି । ବୈତରଣୀ ନଦୀର ସୁଇସାଇଡ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରୁ ରାଜକନିକା ବୁରୁଡିଆ ଗାଁରେ ଶ୍ରୀମନ ଜେନା ଶହେ ଫୁଟ ତଳକୁ ଡେଇଁ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି । ସେ ମାମୁଁ ଘରେ ରହି ପାଠ ପଢୁଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଯୁବତୀଙ୍କୁ ସନ୍ଧାନ ଜାରିରହିଛି ।

ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ମହାନଦୀରୁ ଆସିଛି ଦୁଃଖଦ ଖବର । ମହାନଦୀରେ ଗାଧୋଇବା ବେଳେ ବୁଡିଯାଇଛନ୍ତି ୨ ଯୁବକ । ପାରାଦୀପରେ ପଥୁରିଆ ନିକଟରେ ମହାନଦୀରେ ୨ ଜଣ ଯୁବକ ଗାଧୋଉଥିବା ବେଳେ ଭାସିଯାଇଥିଲେ ।  ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା ।

ପଶ୍ଚିମ ଓଡ଼ିଶାରେ ବି ଚାଞ୍ଚଲ୍ୟ । ରେଳ ଧାରଣାରୁ ଯୁବକ-ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ସମ୍ବଲପୁର ବୁର୍ଲା କଣ୍ଟାପାଲି ରେଲୱେ ଲାଇନରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳ ନିକଟରୁ ଗୋଟିଏ ଲାଲ ରଙ୍ଗର ପ୍ୟାସନ-ପ୍ରୋ, ହେଲମେଟେ ଓ ଡାଏରୀକୁ ଜବତ କରାଯାଇଛି ।

ଦକ୍ଷିଣ ଓଡ଼ିଶାରୁ ଆସିଛି ଦୁଃଖଦ ଖବର । ପୁଅର ବେକ କାଟିଦେଲା ଜନ୍ମକଲା ମାଆ । କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡାଗଡ ପଞ୍ଚାୟତର ଲୁକୁମାରି ଗାଁରେ ତିନି ବର୍ଷର ପୁଅକୁ ହତ୍ୟା କରିଛି ମାଆ । କାହିଁକି ପୁଅର ବେକ କାଟିଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିନି, ପୋଲିସ ଅଭିଯୁକ୍ତ ମାଆକୁ ଅଟକ ରଖିଛି ।

ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଆସିଛି ଏହି ନୂଆବର୍ଷ । କିନ୍ତୁ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ କିଛି ଲୋକଙ୍କ ପାଇଁ ନିରାଶ ଆଣି ଦେଇଛି ।

Leave a Reply

Your email address will not be published. Required fields are marked *