ମିଳିତ ରାଜନୈତିକ ଦଳଙ୍କୁ ଢିଙ୍କିଆବାସୀଙ୍କ ବିରୋଧ : ‘ଆମ ଭିତରେ ବିଭେଦ ସୃଷ୍ଟି କରନି’

ଜଗତସିଂହପୁର : ଢିଙ୍କିଆ ଗସ୍ତରେ ଆସିଥିବା ସମାଜସେବୀ ଓ ରାଜନୈତିକ ଦଳର ମିଳିତ ଦଳକୁ ଗ୍ରାମବାସୀ ଦୃଢ ବିରୋଧ କରିଛନ୍ତି । ଆମ ଗାଁରେ ଭାଇଚାରା ଅଛି । ଆପଣମାନେ ଅଯଥାରେ ଗାଁକୁ ଆସି ଅଶାନ୍ତି ସୃଷ୍ଟି କରନ୍ତୁନାହିଁ ବୋଲି ଗ୍ରାମବାସୀ ଦର୍ଶାଇ ସେମାନଙ୍କୁ ଫେରାଇଛନ୍ତି । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଢିଙ୍କିଆ ଗାଁକୁ ଯାଇ ନପାରି ସମାଜସେବୀ ଓ ରାଜନେତାମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଆମେ ଏଠାକୁ ଆସିବୁ ବୋଲି ପୂର୍ବରୁ ଘୋଷଣା କରିଥିଲୁ । ରାଜ୍ୟ ପୁଲିସ ମୁଖ୍ୟଙ୍କୁ ଜଣାଇଥିଲୁ । ହେଲେ ଆମକୁ ପୁଲିସ ସହଯୋଗ କଲାନି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଢିଙ୍କିଆ ଚାରିଦେଶରେ ଜନସାଧାରଣଙ୍କ ମାନବିକ ଅଧିକାର ଉଲ୍ଲଘଂନ ଓ ପୁଲିସ ଦମନ ଅଭିଯୋଗର ସ୍ଥିତି ପରଖିବାପାଇଁ ବୁଧବାର ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ନେତାମାନେ ଢିଙ୍କିଆ ଆସିଥିଲେ । ସେମାନଙ୍କ ସହ ରାଜ୍ୟର ପ୍ରମୁଖ ସମାଜସେବୀ ମାନେ ମଧ୍ୟ ସାମିଲଥିଲେ । ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହୋଇଥିଲା । ଅନ୍ୟପକ୍ଷରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଓ ସମାଜସେବୀ ଢିଙ୍କିଆ ଆସିବା ଖବର ଶୁଣିବାପରେ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ରାଜନେତା ଓ ସମାଜସେବୀ ଏହି ଗାଁକୁ ଆସି ଅଶାନ୍ତି ସୃଷ୍ଟି ନ କରନ୍ତୁ ବୋଲି ଢିଙ୍କିଆ ଗ୍ରାମବାସୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରିଥିଲେ । ଯଦି କେହି ଆମ ଗାଁକୁ ଆସନ୍ତି ତାହାଲେ ସେମାନଙ୍କୁ ଗାଁରେ ପୁରାଇ ଦିଆଯିବନି ବୋଲି ଫୁଲଖାଇ ଗ୍ରାମ୍ୟକମିଟି ପକ୍ଷରୁ ଘୋଷଣା କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ଗାଁରେ ଘଣ୍ଟ ପିଟାଯାଇ ସକାଳେ ଗ୍ରାମବାସୀ ଗାଁର ପ୍ରବେଶପଥରେ ଜଗିବାପାଇଁ ନିଷ୍ପତ୍ତି ହୋଇଥିଲା । ସକାଳେ ପରିବେଶବିତ୍‍ ପ୍ରଫୁଲ୍ଲ ସାମନ୍ତରାୟ, ସାମାଜିକ କର୍ମୀ ତପନ ମିଶ୍ର, ଅରୁଣ ଜେନା, ସ୍ୱାତୀ ମିଶ୍ର, ସିପିଏମ ନେତା ସନ୍ତୋଷ ଦାସ, ସିପିଆଇ ନେତା ଜୟନ୍ତ ଦାସ, ଫରୱାର୍ଡ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ଆମ ଆଦମୀ ଦଳର ରଙ୍ଗାଚରଣ ପ୍ରଧାନ, ସମାଜବାଦୀ ପାର୍ଟିନେତା ସୁଦର୍ଶନ ପ୍ରଧାନ, ରିପବ୍ଲିକାନ ପାର୍ଟି ନେତା ସେକ୍‍ ଅବଦୁଲ ୱାଲି, ଆରଜେଡ଼ି ନେତା ହେମନ୍ତ ବାରିକ, ଏସୟୁସିଆଇ ନେତା ନିରଞ୍ଜନ ମହାନ୍ତି, ସିପିଆଇ(ଏମଏଲ୍‍) ନେତା ଯୁଧିଷ୍ଠିର ମହାପାତ୍ର ପ୍ରମୁଖ ଢିଙ୍କିଆ ଗାଁ ନିକଟରେ ପହଞ୍ଚିଥିଲେ । ଗାଁ ଭିତରକୁ ଯିବାକୁ ଉଦ୍ୟମ କରିବାବେଳେ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ । ସେମାନେ ଗ୍ରାମବାସୀଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ଲୋକେ କିଛି ଶୁଣିନଥିଲେ । ଫୁଲଖାଇ ଗ୍ରାମ୍ୟ କମିଟିର ୩୫ ଜଣ ସଦସ୍ୟ ଗାଁ କଥା ବୁଝୁଛନ୍ତି । ଆମ ଭିତରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରନ୍ତୁନାହିଁ । ଲୋକଙ୍କ ଜିଦି ଆଗରେ ରାଜନେତା ଓ ସମାଜସେବୀମାନେ ହାରମାନି ସେଠାରୁ ଫେରି ଆସିଥିଲେ । ହେଲେ ଫେରିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ପ୍ରକାଶକରି ମିଳିତ ରାଜନୈତିକ ଦଳର ନେତୃବୃନ୍ଦ କହିଥିଲେ ଯେ, ସରକାର, ଜିଲା ପ୍ରଶାସନ ଓ ପୁଲିସ କମ୍ପାନୀ ସ୍ୱାର୍ଥରେ କାମ କରିବା ଖୁବ ନିନ୍ଦନୀୟ । ଢିଙ୍କିଆରେ କିଛି ଲୋକେ ଏକଚାଟିଆ କାର୍ଯ୍ୟକରି ସାଧାରଣ ଲୋକଙ୍କ ସ୍ୱରକୁ ଚାପିଦେବାକୁ ଉଦ୍ୟମ କରୁଛନ୍ତି । ଦିନେ ଦୁଇଦିନ ମଧ୍ୟରେ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରିବେ । ଢିଙ୍କିଆ ପ୍ରସଙ୍ଗରେ ମିଳିତ ରାଜନୈତିକ ଦଳ ପୁର୍ନବାର ବୈଠକ କରି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *