ବାଲେଶ୍ବର : ସମବାୟ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ ବି ବାଲେଶ୍ବର ଜିଲ୍ଲାରେ ଧାନଖର୍ଦ୍ଦିରେ ଅଚଳାବସ୍ଥା ଲାଗି ରହିଛି । ୧୪୩ ସୋସାଇଟିରୁ ମାତ୍ର ୨୫ ଟି ମଣ୍ଡି ଖୋଲିଥିବା ବେଳେ ଆହୁରି ୧୧୮ ଟି ମଣ୍ଡି ଖୋଲିବାକୁ ବାକି ରହିଛି । ସେପଟେ ଧାନବିକ୍ରି ପାଇଁ ଉଦ୍ଦିଷ୍ଟ ଟୋକନ୍ଗୁଡ଼ିକର ସମୟ ଅତିକ୍ରାନ୍ତ ହେବାକୁ ବସିଛି । ଆଉ ମାତ୍ର ୧୦ ଦିନ ପରେ ଟୋକନ୍ ଅବଧି ସରିଯିବ । ଅଥଚ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି । ଗତମାସ ୧୫ ତାରିଖରୁ ଜିଲ୍ଲାରେ ଧାନଖର୍ଦ୍ଦି ଆରମ୍ଭ ହୋଇଥିବାବେଳେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଧାନସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଫଳରେ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସବୁ ମଣ୍ଡି ଖୋଲି ପାରିନାହିଁ । ଯାହାଫଳରେ ୨୦ ଦିନ ଭିତରେ ମାତ୍ର ୨୭୫ ଜଣ ଚାଷୀ ଧାନବିକ୍ରି କରି ପାରିଛନ୍ତି । ଏହି ୨୫ ଟି ମଣ୍ଡିରୁ ଚାଷୀଙ୍କଠାରୁ ୧୦ ହଜାର ୨୦୨ କୁଇଣ୍ଟାଲ ଧାନଖର୍ଦ୍ଦି ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଠୁ ବଡ଼କଥା ହେଲା, ଚାଷୀଙ୍କୁ ମିଳିଥିବା ଟୋକନ୍ ଅବଧି ଆଉ ୧୦ ଦିନ ପରେ ସରିଯିବ । ଟୋକନ୍ର ଅବଧି ମାତ୍ର ଗୋଟିଏ ମାସ । ଏହା ପରେ ଧାନବିକ୍ରି ବାଟ ବନ୍ଦ ହୋଇଯିବ । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଯଦିଓ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନଖର୍ଦ୍ଦି ଜାରି ରହିବ ବୋଲି ପ୍ରଶାସନ କହିଛି, କିନ୍ତୁ ଟୋକନ୍ ଅବଧି ସଂପର୍କରେ କେହି ମୁହଁ ଖୋଲୁନାହାନ୍ତି । ଚଳିତବର୍ଷ ଖରିଫ ଋତୁରେ ଜିଲ୍ଲାରେ ୧୪୩ ଟି ସୋସାଇଟି ଓ ୨୬ ଟି ମଣ୍ଡିରୁ ଧାନସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଥିଲା । ଧାନ ବିକ୍ରି ପାଇଁ ୯୪ ହଜାର ୧୯୧ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ଯାଞ୍ଚ ପରେ ୨ ହଜାର ୧୦୨ ଜଣ ନକଲି ଚାଷୀ ଧରାପଡ଼ିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୭ ଲକ୍ଷ ୧୧ ହଜାର ୭୭୧ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିଲା । ତେବେ ଧାନଖର୍ଦ୍ଦିରେ ଅବ୍ୟବସ୍ଥା ଲାଗି ରହିଥିବାରୁ ଏବର୍ଷ ସବୁ ଚାଷୀ ସେମାନଙ୍କର ଉତ୍ପାଦିତ ଧାନକୁ ବିକ୍ରି କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଟୋକନ୍ ଅବଧି ଓ ବିଭିନ୍ନ କାରଣରୁ ଗତ ୩ ବର୍ଷରେ ପଞ୍ଜିକୃତ ୬୫ ହଜାର ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରଶାସନ ଏ ନେଇ ପଦକ୍ଷେପ ନ ନେଲେ ଧାନବସ୍ତା ଧରି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀନେତା ମଳୟ ମହାନ୍ତି, ଦିବାକର ଜେନା, ଅଂଶୁମାନ ମଲ୍ଲିକ କହିଛନ୍ତି । ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କୁ ପଚରାଯିବାରୁ ଜିଲ୍ଲାରେ ଧାନଖର୍ଦ୍ଦି ବ୍ୟବସ୍ଥା ଧିମେଇଥିବା କଥାକୁ ସ୍ବୀକାର କରିବା ସହ ତାକୁ ତ୍ବରାନ୍ବିତ କରିବା ପାଇଁ ଉଦ୍ୟମ ଚାଲିଥିବା କହିଥିଲେ ।
