ବଣାଇ : ବଣାଇ ଉପଖଣ୍ଡ କୋଇଡା ବ୍ଲକ୍ ଅନ୍ତର୍ଗତ ଖଣି ଅଞ୍ଚଳ ଭାବେ ପରିଚିତ ଟେନସା ଠାରେ ନିର୍ମିତ ପ୍ରକୃତି ନିବାସକୁ ଅପରାହ୍ନ ୧୧ଟା ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦିନିକିଆ ପରିଦର୍ଶନରେ ଆସି ପହଞ୍ଚିଥିବା ଜଣାପଡିଛି ।

ଏହି ପ୍ରକୃତି ନିବାସ ଏଠାକାର ଘଞ୍ଚ ଜଙ୍ଗଲ ଓ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଥିବା ବେଳେ, ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ୨୦୧୭ ମସିହାରେ ଏହି ପ୍ରାକୃତିକ ପରିବେଶର ସ୍ଥାନ ନିରୂପଣ କରି ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟର ଅନୁମୋଦନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ଜଙ୍ଗଲ ବିଭାଗ ଦ୍ଵାରା ଦୁଇ ବର୍ଷ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ କରାଯାଇ ପର୍ଯ୍ୟଟକଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା । ଏଥିରେ ଶିତତାପ ନିୟନ୍ତ୍ରିତ ୬ଟି କଟେଜ ରହିଥିବା ବେଳେ, ପ୍ରାକୃତିକ ପରିବେଶକୁ ଉପୋଭୋଗ କରିବା ନିମନ୍ତେ ଏକ ୱାଚ ଟାୱାର ନିର୍ମାଣ କରାଯାଇଛି ।

ବର୍ତ୍ତମାନ ଏହା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ପରିଚାଳିତ ହେଉଛି । ସମସ୍ତ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ପରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଶାସନ ସଚିବ ଗୁରୁତ୍ଵାରୋପ କରିଥିଲେ, ପର୍ଯ୍ୟଟନ ସମ୍ପତ୍ତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବା ସହିତ, ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନଙ୍କୁ ସାମିଲ କରି ନୂତନ ଜୀବିକା ନିର୍ବାହ ଓ ରୋଜଗାର ପନ୍ଥା ସୃଷ୍ଟି କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ ବଣାଇଙ୍କ ସମେତ ସଂମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
