ରୂପାନ୍ତରଣ ପରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଅଜବ ସ୍ଥିତି : ଗୋଟିଏ ଅନୁଷ୍ଠାନରେ ତିନି ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ

ବ୍ରହ୍ମପୁର : ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକଦା ସାରା ରାଜ୍ୟରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ଖଲ୍ଲିକୋଟ ମହାବିଦ୍ୟାଳୟ ଗତବର୍ଷ ଅଗଷ୍ଟରେ ବିଶ୍ବବିଦ୍ୟାଳୟରେ ରୂପାନ୍ତର ହୋଇଛି । ରୂପାନ୍ତରଣ ପରେ ଏହି ଅନୁଷ୍ଠାନରେ ଅଜବ ସ୍ଥିତି ଦେଖିବାକୁ ମିଳିଛି । ଏହାର ସ୍ନାତକ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀମାନେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବେଳେ ଗତବର୍ଷ ଠାରୁ ଏହି ବିଶ୍ବବିଦ୍ୟାଳୟ ତା’ର ଅସ୍ତିତ୍ବ ହରାଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଲୋପ ହୋଇଛି । ତେବେ ଉକ୍ତ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା, ସାର୍ଟିଫିକେଟ୍ ପ୍ରଦାନ ଆଦି ପ୍ରାଶାସନିକ କାର୍ଯ୍ୟ ସମ୍ପାଦନ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି ।

ଖଲ୍ଲିକୋଟ କ୍ଲଷ୍ଟର ବିଶ୍ବବିଦ୍ୟାଳୟକୁ ରାଜ୍ୟସରକାର ୨୦୨୦-୨୧ ଶିକ୍ଷାବର୍ଷରେ ଗବେଷଣାତ୍ମକ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବା ସହ ଏହା ଅଧୀନରେ ଥିବା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ସହ ଅନ୍ୟ ୪ ମହାବିଦ୍ୟାଳୟକୁ ପୁନଃ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନକୁ ଫେରାଇ ନେଇଥିଲେ । ଫଳରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଭୟ ସ୍ନାତକ ଏବଂ ସ୍ନାତ‌କୋତ୍ତର ବିଭାଗର ଛାତ୍ରଛାତ୍ରୀମାନେ ଏବେ ଦ୍ବିତୀୟ ବର୍ଷରେ ପଦାର୍ପଣ କରିବା ସହ ସେମାନେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଧୀନସ୍ଥ ଅଛନ୍ତି ।

ପୁଣି ଗତବର୍ଷ ଏହି ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟରେ ରୂପାନ୍ତର କରି ଦିଆଯାଇଥିଲା । ଫଳରେ ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ହିଁ କେବଳ ଏହି ବିଶ୍ବବିଦ୍ୟାଳୟର ଅଧୀନସ୍ଥ ଅଟନ୍ତି । ଘଡ଼ିକେ ଘୋଡ଼ା ଛୁଟିବା ନ୍ୟାୟରେ ରାଜ୍ୟସରକାରଙ୍କ ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନର ଏହା ପରିଣାମ । ଗୋଟିଏ ଅନୁ୍ଷ୍ଠାନରେ ତିନିଟି ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ ଅଛନ୍ତି । ଫଳରେ ଛାତ୍ରଛାତ୍ରୀଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହେଉଛି । ଏପରି ମଝିରେ ମଝିରେ ଏକାଧିକ ବାର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ର ଉତ୍ତେଜନା ମଧ୍ୟ ଦେଖିବାକୁ ମିଳୁଛି ।

ବିଶ୍ବବିଦ୍ୟାଳୟ ଘୋଷଣା ହେବାର ୯ ମାସ ବିତିଗଲା ପରେ ମଧ୍ୟ ଏହାର ଭିତ୍ତିଭୂମି ଏବେ ବି ଅସଜଡ଼ା ରହିଛି । ବିଶେଷକରି ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି, ଅଣଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ହ୍ରାସ ଘଟିଛି । ଏପର୍ଯ୍ୟନ୍ତ ଏହି ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିନହିଁ । କେବଳ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣେ କୁଳପତିଙ୍କୁ ନିଯୁକ୍ତ କରାଯାଇଛି । କୁଳସଚିବ ଭାବେ ଜଣେ ଓଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ତେବେ ବିଶ୍ବବିଦ୍ୟାଳୟ ଘୋଷଣା ହେବାପରେ ମଧ୍ୟ ରୂପାନ୍ତରଣ ପ୍ରକ୍ରିୟା ପ୍ରାୟ ୨ ବର୍ଷ ଲାଗିବ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଉଦ୍‌ଘାଟନୀ ଦିବସରେ ପ୍ରକାଶ କରିଥିଲେ । କିନ୍ତୁ ଏହି ପ୍ରକ୍ରିୟା ‌ବେଶ୍ ମନ୍ଥର ଗତିରେ ହେଉଥିବା ଅନୁମେୟ ହେଉଛି ।  ରାଜ୍ୟର ଏହି ପୁରାତନ ଶିକ୍ଷାନୁଷ୍ଠାନର ଗୌରବ ରକ୍ଷା ପାଇଁ ସ୍ବତନ୍ତ୍ର ଉଦ୍ୟମ ହେବା ଆବଶ୍ୟକ ବୋଲି ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *