ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଘାଟି ରାସ୍ତାରେ ନିୟନ୍ତ୍ରଣ ହରାଇ ତଳକୁ ଖସିଯିବା ସମୟରେ ଡ୍ରାଇଭର ଉପରେ ଭାରିଯାନ ଟି ଚଢିଯିବା ଦ୍ଵାରା ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ସମୟରେ ଓଡ଼ି ୧୪ ଟି ୫୪୮୧ ନାମକ ଏକ ହାଇୱା ଟ୍ରକ ଟେନସା ପଟୁ ଖଣିଜ ପଦାର୍ଥ ବୋଝେଇ କରି ବରସୁଆଁ ସାଇଡିଙ୍ଗ ନିକଟକୁ ଯାଉଥିବା ସମୟରେ ଟେନସା ରାସ୍ତାର ୧୬ ନମ୍ବର ଘାଟି ନିକଟରେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ଡ୍ରାଇଭର ସୁରିୟାନ ନିଜ ଜୀବନକୁ ବଞ୍ଚାଇବାକୁ ଚେଷ୍ଟାକରି ଟ୍ରକରୁ ତଳକୁ ଡେଇଁ ପଡିଥିଲା, ହେଲେ ଅସାବଧାନତା ଯୋଗୁଁ ସେ ଟ୍ରକର ପଛ ଚକତଳେ ପଡ଼ିଯିବାରୁ ଟ୍ରକଟି ତାଙ୍କ ଦେହ ଉପରେ ମାଡି ଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ବରଣ ହୋଇଥିଲା । ଖବରପାଇ ଟେନସା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଗ୍ରସ୍ଥ ଗାଡ଼ିକୁ ଜବତ କରିବା ସହିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି ।
