ଅଭାବୀ ବିକ୍ରି ଆରମ୍ଭ : ଆନ୍ଧ୍ରକୁ ବୋହିଲେଣି ଧାନ

ବରଗଡ଼ : ଯାହା ଆଶଙ୍କା କରାଯାଇଥିଲା, ତାହା ସତରେ ପରିଣତ ହୋଇଛି । ରାଜ୍ୟରେ ଅଭାବୀ ବିକ୍ରିର ଶିକାର ହୋଇଥିବା ଚାଷୀମାନେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଧାନ ବୋହିବା ଆରମ୍ଭ କରିଛନ୍ତି । ରବିଋତୁରେ ଲକ୍ଷାଧିକ କ୍ବିଣ୍ଟାଲ ଧାନ ଖୋଲା ବଜାରରେ ବିକ୍ରିହେବ ବୋଲି ବାରମ୍ବାର ଖବର ପ୍ରକାଶ ପାଇଥିଲା । ଆଜି ଏହା ସତରେ ପରିଣତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଯୋଗାଣ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବାବେଳେ ୩ଟି ଧାନବୋଝେଇ ଟ୍ରକ୍‌ ଧରାପଡ଼ିଥିଲା । ଏହି ଟ୍ରକ୍‌ ବରଗଡ଼ରୁ ଆନ୍ଧ୍ର ଅଭିମୁଖେ ବାହାରିଥିଲା । ଏହି ଘଟଣା ପରେ ଆଜି ସକାଳ ସମୟରେ ଯୋଗାଣ ବିଭାଗ ଓ ପୁଲିସ୍‌ ପକ୍ଷରୁ ତନାଘନା କରାଯାଇଥିଲା । ଠିକ୍‌ ଏହି ସମୟରେ ଶତାଧିକ ଚାଷୀ ଥାନା ସମ୍ମୁଖରେ ପହଞ୍ଚି ନିଜନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଚାଷୀମାନେ ଦୃଢ଼ ସ୍ବରରେ କହିଥିଲେ, ବଳକା ଧାନ ବିକି ନପାରିବାରୁ ସେମାନେ ଆନ୍ଧ୍ରପ୍ରଦେଶ ପଠାଇବାକୁ ବାଧ୍ୟ ହେଉଛନ୍ତି । ପରେ କାଗଜପତ୍ର ଯାଞ୍ଚ କରାଯାଇଥିଲା ଏବଂ କିଛି ଚାଷୀ ବଳକା ଧାନ ଆନ୍ଧ୍ର ପଠାଇଥିବା ବି ସ୍ପଷ୍ଟ ହୋଇଥିଲା ।

ଏହି ଘଟଣା ପରେ ସରକାରଙ୍କ ଧାନକିଣା ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଗୋଟିଏ ପଟେ ଟୋକନ୍‌ ବିଭ୍ରାଟ ଏବଂ ଅନ୍ୟ ପଟେ ଧାନ ବିକ୍ରି କଟକଣା । ଯେଉଁଥି ପାଇଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନେ କହିଛନ୍ତି । ସରକାରୀ ଭାବେ ଏଥର ବରଗଡ଼ ଜିଲ୍ଲାରେ ୭୦ ହଜାର ହେକ୍ଟରରେ ରବିଚାଷ ହୋଇଛି । କିନ୍ତୁ ଚାଷୀଙ୍କ ପରିସଂଖ୍ୟାନ ହେଲା, ଜିଲ୍ଲାରେ କେବଳ ବିଜୁ କୃଷକ ‌କଲ୍ୟାଣ ଯୋଜନାରେ ୨୬୮୦୮ ବୋର୍‌ୱେଲ୍‌ ରହିଛି । ଅର୍ଥାତ୍‌ କେବଳ ବିଜୁ କୃଷକ ‌କଲ୍ୟାଣ ଯୋଜନାରେ ହିଁ ୬୫ ହଜାର ହେକ୍ଟର ଜମିରେ ରବିଧାନ ଚାଷ ହୋଇଛି । ହୀରାକୁଦ ସେଚାଞ୍ଚଳରେ ୫୪ ହଜାର ହେକ୍ଟର ଧାନ ଚାଷ ହୋଇଛି । ଏହା ବାଦ୍‌ ଛୋଟମୋଟ ଡ୍ୟାମ୍‌ରୁ ପୁଣି ୫ ହଜାର ହେକ୍ଟର ପାଖାପାଖି ଜମିରେ ରବିଧାନ ଚାଷ ଚାଲିଛି । ମୋଟାଭୋଟି ଭାବେ ୧.୨୦ ଲକ୍ଷ ହେକ୍ଟର ଜମିରେ ଧାନ ଚ‌ାଷ ହୋଇଛି । ଯାହା ସରକାରୀ ତଥ୍ୟ ତୁଳନାରେ ୫୦ ହଜାର ହେକ୍ଟର ଅଧିକ । ଏଥର ବମ୍ପର୍‌ ଉତ୍ପାଦନ ହୋଇଥିବାବେଳେ ହେକ୍ଟର ପିଛା ମାତ୍ର ୨୭ କ୍ବିଣ୍ଟାଲ ଧାନ ବିକିବାକୁ କୁହାଯାଉଛି । ଫଳରେ ଚାଷୀ ବାଧ୍ୟହୋଇ ବଳକା ଧାନ ଖୋଲା ବଜାରକୁ ଆଣୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *