ଦୁର୍ଘଟଣା ଆଳରେ ହତ୍ୟା ଉଦ୍ୟମ ; ଚିତ୍ତରଞ୍ଜନ ହିଁ ମୁଖ୍ୟ ଅଭିଯୁକ୍ତ

ବଲାଙ୍ଗିର : ଶନିବାର ପୂର୍ବାହ୍ଣରେ ବଲାଙ୍ଗିର ଆର୍‍ଟିଓ କାର୍ଯ୍ୟାଳୟ ଛକରେ ଏକାଧିକ ଦୁର୍ଘଟଣା ଘଟିଥିଲା । ତେବେ ତଦନ୍ତ ବେଳେ ଦୁର୍ଘଟଣା ଆଳରେ ହତ୍ୟା ଉଦ୍ୟମ କରାଯାଇଥିବା ପୁଲିସ ଜାଣିବାକୁ ପାଇଛି । ଏପରିକି ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ପୂର୍ବ ପ୍ରସ୍ତୁତି ହୋଇଥିଲା । କିନ୍ତୁ ସବୁ ପ୍ରସ୍ତୁତି ଓ ଷଡଯନ୍ତ୍ର ବିଫଳ ହୋଇଗଲା ଏବଂ ଏହି ହତ୍ୟା ଷଡଯନ୍ତ୍ରର ମୁଖ୍ୟ ଖଳନାୟକ ଚିତ୍ତରଞ୍ଜନ ମହାନ୍ତି ବୋଲି ସୋମବାର ଏସ୍‍ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

ଆର୍‍ଟିଓ କାର୍ୟ୍ୟାଳୟରୁ ଟିଟିଲାଗଡ଼ ପଟକୁ ୧୦୦ ମିଟର୍‍ ଦୂରରେ ରାସ୍ତା କଡ଼ରେ ମୁଖ୍ୟ ଅଭିଯୁକ୍ତ ଚିତ୍ତର ଘର ରହିଛି । ଅନ୍ୟପଟେ ଶିଳ୍ପାଞ୍ଚଳ ତନଖି ଫାଟକ ନିକଟରେ ଜୁସ୍‍ ଦୋକାନୀ ରବୀନ୍ଦ୍ର ନାଏକଙ୍କ ଘର ଓ ଦୋକାନ ରହିଛି । ଶ୍ରୀ ନାଏକଙ୍କ ଘର ନିକଟରେ ଚିତ୍ତର ଏକ ମଣ୍ଡପ ରହିଥିବା ବେଳେ ମଣ୍ଡପ ପାଇଁ ଅଧିକ ଜମି ଆବଶ୍ୟକ ହେଉଥିବାରୁ ଶ୍ରୀ ନାଏକଙ୍କୁ ଜମି ବିକ୍ରି ପାଇଁ ଚିତ୍ତ କହୁଥିଲା । କିନ୍ତୁ ଶ୍ରୀ ନାଏକଙ୍କ ବଡପୁଅ ଭୁବନ ଓ ମଝିଆ ପୁଅ ସାନୁ ଜମିବିକ୍ରି ସପକ୍ଷରେ ନଥିଲେ । ତେଣୁ ସେମାନଙ୍କ ମଧ୍ୟରେ ଦୀର୍ଘଦିନରୁ ବିବାଦ ରହିଥିଲା । ସପ୍ତାହେ ପୂର୍ବରୁ ଆର୍‍ଟିଓ କାର୍ୟ୍ୟାଳୟ ଛକରେ ରବୀନ୍ଦ୍ରଙ୍କ ବଡପୁଅ ଭୁବନଙ୍କୁ ରାତିରେ ଏକ ଗାଡି ଧକ୍କାଦେଇ ଫେରାର ହୋଇଯାଇଥିଲା । ଗୋଡ ଭାଙ୍ଗିଥିବାରୁ ଭୁବନ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ । ପୁଣି ଗତ ଶନିବାର ଶ୍ରୀ ନାଏକଙ୍କ ମଝିଆ ପୁଅ ସାନୁଙ୍କୁ ଥାନାରୁ ଫୋନ୍‍ ଆସିବାରୁ ତାଙ୍କ ଦୋକାନରେ କାମ କରୁଥିବା କର୍ମଚାରୀ ବରଗଡ଼ର ଶ୍ରୀକାନ୍ତ ବାଗଙ୍କୁ ବସାଇ ସାନୁ ଥାନାକୁ ଯାଉଥିଲେ । ପରିବହନ ବିଭାଗ ପକ୍ଷରୁ ଅନ୍‍ଫିଟ୍‍ ଦର୍ଶାଯାଉଥିବା ନୀଳରଙ୍ଗର ମିନି ଟ୍ରକଟି ଚିତ୍ତଙ୍କ ଘର ସମ୍ମୁଖରେ ଥିଲା । ସାନୁ ଓ ଶ୍ରୀକାନ୍ତ ଘରୁ ବାଇକରେ ବାହାରିବା ପରେ ତାଙ୍କ ପଛେ ପଛେ ମିନିଟ୍ରକ ଆସି ଆର୍‍ଟିଓ କାର୍ଯ୍ୟାଳୟ ଛକରେ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରୁଥିଲା । କିନ୍ତୁ ସମ୍ମୁଖରେ ଗହମ ବୋଝେଇ ଟ୍ରକ ସହ ଧକ୍କାହୋଇ ମିନିଟ୍ରକଟି ରହି ଯାଇଥିଲା । ପ୍ରତ୍ୟକ୍ଷଦର୍ଶୀ ଏହାକୁ ଦୁର୍ଘଟଣା ବୋଲି ଭାବୁଥିବା ବେଳେ ମିନିଟ୍ରକର ନମ୍ବର ପ୍ଲେଟରେ କାଳି ବୋଳା ଯାଇଥିବାରୁ ଏଥିରେ ପ୍ରମାଣନଷ୍ଟ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଇଥିଲା । ଦୁର୍ଘଟଣା ପରେ କିଛିଲୋକ ଠେଙ୍ଗାବାଡି ଧରି ମିନିଟ୍ରକ ଚାଳକଙ୍କୁ ଆକ୍ରମଣ କରିବାକୁ ଯାଇଥିବା ବେଳେ ଚିତ୍ତଙ୍କୁ ଗାଡି ଭିତରୁ ବାହାରିବା ଦେଖି ପଛେଇ ଯାଇଥିଲେ । ଘଟଣାର ଅଧଘଣ୍ଟା ପରେ ପୁଲିସ ପହଞ୍ଚି ଆହତ ସାନୁ ଓ ଶ୍ରୀକାନ୍ତଙ୍କୁ ଆମ୍ବୁଲାନ୍ସରେ ଭୀମ ଭୋଇ ଡାକ୍ତରଖାନାକୁ ନେଇଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମିନିଟ୍ରକ ଚାଳକ ଚିତ୍ତ ମହାନ୍ତି ଗୋଡ ଭାଙ୍ଗିଯିବାରୁ ଅନ୍ୟ ସହଯୋଗୀଙ୍କ ଜରିଆରେ ଓ ପୁଲିସ ପହଞ୍ଚିବା ପୂର୍ବରୁ ଭୀମ ଭୋଇ ଡାକ୍ତରଖାନାକୁ ଯାଇ ସାରିଥିଲା । ଏହି ଦୁର୍ଘଟଣାରେ ହତ୍ୟା ଷଡଯନ୍ତ୍ରର ସୁରାକ ମିଳିବାରୁ ଖୋଦ୍‍ ଏସ୍‍ପି ନିତିନ କୁଶଲକର ମାମଲାରେ ହସ୍ତକ୍ଷେପ କରିଥିଲେ । ଚିକିତ୍ସାଧୀନ ଥିବା ଚିତ୍ତ ଅପରାହ୍ଣ ୩ଟା ରେ କିଛି ସହଯୋଗୀଙ୍କ ସହ ବିଶାଖାପାଟଣାରେ ଚିକିତ୍ସିତ ହେବା ପାଇଁ ପଳାଇ ଯାଇଥିଲା । ତା’କୁ ଓଡ଼ିଶା-ଆନ୍ଧ୍ର ସୀମା ଥେରୁବାଲି ପୁଲିସ ସହାୟତାରେ ଅଟକ ରଖାଯାଇଥିଲା । ବଲାଙ୍ଗିର ପୁଲିସ ତା’କୁ ଫେରାଇ ଆଣି ଏଠାରେ ଚିକିତ୍ସା କରାଉଥିବା ବେଳେ ଜେରା ଚଳାଇଛି । ଦୁର୍ଘଟଣା ମାମଲା ପରେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି । ଚିତ୍ତକୁ ସହଯୋଗ କରିଥିବା ସନ୍ଦେହରେ ୨ ଜଣଙ୍କୁ ପୁଲିସ ଜେରା କରୁଛି । ଅନ୍ୟ କେତେକଜଣଙ୍କ ମଧ୍ୟ ଏଥିରେ ସମ୍ପୃକ୍ତି ରହିଛି, ପୁଲିସ ସେମାନଙ୍କୁ ଖୋଜୁଛି । ଚିତ୍ତ ସୁସ୍ଥ ହେବାପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‍ପି କହିଛନ୍ତି ।

ଏହି ଦୁର୍ଘଟଣାରେ ଅନେକ ଅସମାହିତ ପ୍ରଶ୍ନ ମୁଣ୍ଡ ଟେକିଛି । ଦୁର୍ଘଟଣା ପରେ ଚିତ୍ତ କହିଥିଲା ସେ ଛକରେ ଛିଡାହୋଇ ସିଗାରେଟ୍‍ ପିଉଥିଲା, ଦୁର୍ଘଟଣାରେ ତା’ର ଗୋଡ ଭାଙ୍ଗି ଯାଇଛି । କିନ୍ତୁ ସିସି ଟିଭି ଫୁଟେଜ୍‌ରୁ ମୃତ୍ୟୁଦୂତ ସାଜିଥିବା ମିନିଟ୍ରକକୁ ଚିତ୍ତ ହିଁ ଚଳାଉଥିଲା ବୋଲି ସ୍ପଷ୍ଟ ହୋଇଯାଇଛି । ପୁଲିସ କହୁଛି ମିନିଟ୍ରକରେ ଚିତ୍ତ ସହ ଅନ୍ୟଜଣେ ଥିଲା । ତେବେ ଚିତ୍ତ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣକ କିପରି ସୁରକ୍ଷିତ ଖସିଗଲା ? ଦୁର୍ଘଟଣାର ଅଧଘଣ୍ଟା ପରେ ପୁଲିସ ଆସି ଆହତ ସୋନୁ ଓ ଶ୍ରୀକାନ୍ତଙ୍କ ଶବକୁ ଆମ୍ବୁଲାନ୍ସରେ ଭୀମ ଭୋଇ ଡାକ୍ତରଖାନାକୁ ପଠାଇଥିଲା । ତେବେ ମିନିଟ୍ରକ ଚାଳକ ଚିତ୍ତକୁ କିଏ ବାହାରକୁ ଆଣିଲା, କେଉଁମାନେ ତା’କୁ ଡାକ୍ତରଖାନା ନେଲେ ? ଜୁସ୍‍ ଦୋକାନୀ ରବୀନ୍ଦ୍ର ନାଏକ ଜମି ବିବାଦ ଚିତ୍ତ ସହ ରହିଥିବା କହୁଛନ୍ତି । ତେବେ ବଡପୁଅ ଭୁବନଙ୍କ ଦୁର୍ଘଟଣାରେ ଗୋଡ ଭାଙ୍ଗିବା ପରେ ସେ ଥାନାରେ ଅଭିଯୋଗ କଲେ ନାହିଁ କାହିଁକି ? ଥାନାରୁ ଜଣେ ଏସ୍‍ଆଇ ରବୀନ୍ଦ୍ରଙ୍କ ମଝିଆପୁଅ ସାନୁଙ୍କୁ ଥାନାକୁ ଆସିବାକୁ କହିଥିଲେ । ତେଣୁ ସାନୁ ଘରୁ ବାଇକରେ ଥାନାକୁ ବାହାରିଲେ । ଏ ଖବର ଚିତ୍ତକୁ କିଏ ଦେଲା ? ସାନୁ ପଛେ ପଛେ ମିନିଟ୍ରକ ନେଇ ଚିତ୍ତ ତାଙ୍କୁ ଦୁର୍ଘଟଣା ଘଟାଇ ହତ୍ୟା କରିବାର ଯୋଜନା ପୂର୍ବ ନିର୍ଦ୍ଧାରିତ ନ ଥିଲା ତ ? ଏହା ସଂଯୋଗ ନା ସୂଚନା ଆଧାରରେ ଷଡଯନ୍ତ୍ରର ଏକ ଭାଗ ? ଭୀମ ଭୋଇ ଡାକ୍ତରଖାନାରୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଚାଲି ଯାଇଥିଲେ ଚିତ୍ତ । ଡାକ୍ତରଖାନାରେ ଫାଣ୍ଡି ଥିଲେ ମଧ୍ୟ ପୁଲିସ କିପରି ଚିତ୍ତ ଖସିଯିବା ଉଦ୍ୟମ ସମ୍ପର୍କରେ ଜାଣିପାରି ନାହିଁ ? ଅନ୍‍ଫିଟ୍‍ ମିନିଟ୍ରକର ନମ୍ବରପ୍ଲେଟରେ କାଳି ବୋଳା ଯାଇଥିଲା । ତେଣୁ ଏଭଳି ପୂର୍ବରୁ କେତେଜଣ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି ଏବଂ ​ସେମାନେ ହତ୍ୟାର ଶିକାର ହୋଇଛନ୍ତି ?​ ମୃତ୍ୟୁଦୂତ ସାଜିଥିବା ଏହି ମିନିଟ୍ରକର ପ୍ରକୃତ ମାଲିକ କିଏ ? ଚିତ୍ତ ସହ ତାଙ୍କର ସମ୍ପର୍କ କ’ଣ ? ଏଭଳି ଅନେକ ପ୍ରଶ୍ନର ପର୍ଦାଫାଶ କରିବାକୁ ପଡିବ ପୁଲିସକୁ ।

ବଲାଙ୍ଗିର ଏକାଧିକ ଦୁର୍ଘଟଣା ଓ ହତ୍ୟା ଷଡଯନ୍ତ୍ର ରଚିଥିବା କୁଖ୍ୟାତ ଚିତ୍ତରଞ୍ଜନ ମହାନ୍ତିଙ୍କ ବିରୋଧରେ ସହରାଞ୍ଚଳ ପୁଲିସ ଆଇପିସିର ଦଫା ୩୦୨, ୩୦୭, ୧୨୦(ବି)ରେ ୨୫୩ ନମ୍ବର ମାମଲା ରୁଜୁ କରିଥିଲା । ଚିକିତ୍ସା ଆଳରେ ରାଜ୍ୟ ବାହାରକୁ ଖସି ଯାଉଥିବା ଚିତ୍ତଙ୍କୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଥେରୁବାଲି ପୁଲିସ ଅଟକ ରଖିଥିଲା । ବଲାଙ୍ଗିର ପୁଲିସ ଚିତ୍ତଙ୍କୁ ଆଣିଥିଲା । କିନ୍ତୁ ସୋମବାର ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସିଭିଲ୍ କୋର୍ଟରେ ଏକ ଆମ୍ବୁଲାନ୍ସ ଲାଗିଥିଲା । ଆମ୍ବୁଲାନ୍ସରୁ ଓହ୍ଲାଇଥିଲେ ପୁଲିସ କର୍ମଚାରୀ । ବାଁ ଗୋଡରେ କ୍ରେପ୍, ମୁଣ୍ଡ ଓ ହାତରେ ବ୍ୟାଣ୍ଡଜ୍ ବନ୍ଧା ହୋଇଥିବା ତଥା ସାର୍ଟ ଓ ଗାମୁଛା ପିନ୍ଧା ବ୍ୟକ୍ତିଙ୍କୁ ଷ୍ଟ୍ରେଚର୍ ସହାୟତାରେ ପୁଲିସ କର୍ମଚାରୀମାନେ ଭିତରକୁ ନେଇଥିଲେ । ଏମିତି କ’ଣ ହେଲା ବୋଲି ଜାଣିବା ପାଇଁ ଲୋକ ପାଖକୁ ଯାଇଥିଲେ । ତେବେ ହତ୍ୟା ଷଡଯନ୍ତ୍ର କରି ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରୁଥିବା ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନ ମହାନ୍ତି ବୋଲି ଲୋକେ ଜାଣିବାକୁ ପାଇଥିଲେ । ସୂଚନା ଅନୁସାରେ, ବଲାଙ୍ଗିର ଏସଡିଜେଏମ୍ ମନୋଜ କୁମାର ମହାନ୍ତିଙ୍କ ନିକଟରେ ଚିତ୍ତଙ୍କୁ ହାଜର କରାଯାଇଥିଲା । ପୂର୍ବରୁ ଦୁର୍ଘଟଣା ମାମଲା ହୋଇଥିବା ବେଳେ ତାହା ହତ୍ୟାକାଣ୍ଡ ମାମଲାରେ ପରିବର୍ତ୍ତିତ ହୋଇଥିବା ଏସ୍ଡିଜେଏମ୍ ଶ୍ରୀ ମହାନ୍ତିଙ୍କୁ ଅବଗତ କରାଇଥିଲେ ସରକାରୀ ଓକିଲ ହରିଶ କୁମାର ସୁନାନୀ । ତେବେ ଚିତ୍ତଙ୍କ ପକ୍ଷରୁ କୌଣସି ଓକିଲ ଦିଆଯାଇ ନଥିଲା । ସେ ଚିକିତ୍ସା ପାଇଁ ଜାମିନ ଦେବାକୁ ଅନୁରୋଧ କରିଥିଲେ । ଏସ୍ଡିଜେଏମ୍ ୧୪ ଦିନିଆ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦେଇଥିଲେ । ପୁଣି ଷ୍ଟ୍ରେଚର୍ରେ ତାଙ୍କୁ ପୁଲିସ କର୍ମଚାରୀ ଆମ୍ବୁଲାନ୍ସରେ  ବଲାଙ୍ଗିର କାରାଗାରକୁ ନେଇଥିଲେ ।

Leave a Reply

Your email address will not be published. Required fields are marked *