ଶେରଗଡ଼ : ଗତ ୨ ତାରିଖରେ ଭାଇରଲ ହେଇଥିଲା ଏକ ଭିଡିଓ, ଯେଉଁଥିରେ ପୁଷ୍ପା ଫିଲ୍ମର ଲୋକପ୍ରିୟ ଗୀତ ‘ତେରି ଝଲକ ସରଫି’ ଓ ଓଡ଼ିଆ ଆଲବମ୍ ‘ଗୁଆ ଘିଅ’ ଗୀତର ତାଳେ ତାଳେ ଶେରଗଡ଼ ବରମୁଣ୍ଡୁଳି ଅପ୍ ଗ୍ରେଡ୍ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟକ୍ଲାସରେ ପିଲାମାନେ ନାଚ କରୁଥିବା ଦେଖିବାକୁ ମିଳିଥିଲା ।
ଏହା ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ରାଜ୍ୟରେ ପ୍ରଥମେ ଶେରଗଡ଼ ଏବଂ ହିଞ୍ଜିଳି ବ୍ଲକର ସମସ୍ତ ହାଇସ୍କୁଲକୁ ସ୍ମାର୍ଟ କରିବା ସହ ରାଜ୍ୟର ସମସ୍ତ ସାଂସଦ ଏବଂ ବିଧାୟକମାନେ ବୁଲି ଦେଖି ଏହାକୁ ପ୍ରଶଂସା କରିଥିଲେ । ତେବେ ବିଦ୍ୟାଳୟରେ ଶିକ୍ଷାଦାନ ପରିବର୍ତ୍ତେ ଆଲବମ ଏବଂ ଚଳଚିତ୍ର ଗୀତ ବାଜିବା ସହ ପିଲାମାନେ ନାଚିବା ଫଳରେ ଶିକ୍ଷାବ୍ୟବସ୍ଥାର ସଂସ୍କାରକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସବୁଠୁ ବଡ଼ କଥା ମହଙ୍ଗା ଏଲଇଡି ଚଳାଇବା ସୁଯୋଗ ପିଲାମାନେ ପାଇଲେ କିପରି ? ପିଲାମାନେ ନାଚୁଥିବା ବେଳେ ଶିକ୍ଷକମାନେ କରୁଥିଲେ କଣ ? ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା ।
ଅଭିଯୋଗ ପରେ ବ୍ଲକ୍ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ଗୁରୁତର ସହ ନେଇଥିଲେ । ତଦନ୍ତ ପରେ ଆଜି ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
