ରଥକାଠ ପବିତ୍ରତା ନଷ୍ଟ ହେଉଛି ; ପଡ଼ୁଛି ଅଇଁଠା ପତ୍ର, ଶଙ୍ଖୁଡ଼ି ପାଣି

ପୁରୀ : ବିଶ୍ବନିୟନ୍ତା ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆସୁଥିବା ରଥକାଠର ମାହାତ୍ମ୍ୟ ଅନେକ । ଦାରୁ ଛେଦନ ବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ହେଉଛି । ସ୍ଥାନୀୟ ଲୋକେ ଭଜନ କୀର୍ତ୍ତନ କରି ଦାରୁ ଛେଦନ ପ୍ରକିୟାରେ ସାମିଲ ହେଉଛନ୍ତି । ପୁରୀରେ ରଥକାଠ ପହଞ୍ଚିବା ପରେ ଯଦି କେହି ଭକ୍ତ ବାହାରୁ ଆସୁଛନ୍ତି, ଏହାକୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କ ସ୍ପର୍ଶ ଅନୁଭବ କରୁଛନ୍ତି । କିନ୍ତୁ ବଡ଼ଦାଣ୍ଡରେ ଏହି ପବିତ୍ରତାକୁ ନଷ୍ଟଭ୍ରଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି ।

ବଡ଼ଦାଣ୍ଡରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ଶହ ଶହ ଅସନ, ଧଉରା, ଫାଶୀ ଆଦି କାଠ ଗଦା କରି ରଖାଯାଇଛି । କିନ୍ତୁ ‌ଦୁର୍ଭାଗ୍ୟର ବିଷୟ, ଏହା ଉପରେ ଏବେ ଦୋକାନୀଙ୍କ ପସରା ମେଲିଛି । ଗୁପଚୁପ ଦୋକାନୀମାନେ ରଥକାଠକୁ ଲାଗି ବେପାର କରୁଛନ୍ତି । ଏହିଠାରେ ଲୋକେ ଗୁପଚୁପ ଖାଉଛନ୍ତି, ଯାହାର ଅଇଁଠା ପାଣି ରଥକାଠ ଉପରେ ପଡ଼ୁଛି । ଅଇଁଠା ପତ୍ର ବି ଏହିଠାରେ ପଡ଼ୁଛି । ହାତଧୁଆ ପାଣି ବି ରଥକାଠ ଉପରେ ପଡ଼ୁଛି । ସେପଟେ ଖଜା ଦୋକାନୀମାନେ ବି ରଥକାଠ ଉପରେ ଖଜା ଓ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଯେଉଁ ଲୋକେ ଖଜା କିଣିବାକୁ ଆସୁଛନ୍ତି, ସେମାନେ ଏହିଠାରେ ଖଜା ଖାଉଛନ୍ତି ଓ ରଥକାଠକୁ ଅଇଁଠା ହାତରେ ସ୍ପର୍ଶ କରୁଛନ୍ତି । ଯାହାକୁ ନେଇ ଭକ୍ତ, ସେବାୟତ ମହଲରେ ବିରୋଧ ଆରମ୍ଭ ହୋଇଛି ।

ସେବାୟତଙ୍କ କହିବା କଥା, ରଥକାଠ ମହାପ୍ରଭୁଙ୍କ ରଥ ତିଆରି ପାଇଁ ଆସୁଛି । ପ୍ରଶାସନ ଏତେ ସବୁ ବ୍ୟବସ୍ଥା କରୁଛନ୍ତି, ଚାହିଁଲେ ରଥକାଠକୁ ବ୍ୟାରିକେଡ୍‌ ଭିତରେ ରଖିପାରନ୍ତେ । କିନ୍ତୁ ସେଭଳି କିଛି ପଦକ୍ଷେପ ନିଆଯାଉନି। ଯେଉଁଥିପାଇଁ ଆଜି ରଥକାଠର ପବିତ୍ରତା ନଷ୍ଟ ହେଉଛି ।

Leave a Reply

Your email address will not be published. Required fields are marked *