ଧାର ଟଙ୍କା ମାଗିବାରୁ ଗରମ ଚା’ ଉପ‌ରକୁ ଠେଲିଦେଲେ

ବାଲେଶ୍ବର : ଧାରଟଙ୍କା ମାଗିବାରୁ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ଟକମକ ହୋଇ ଫୁଟୁଥିବା ଗରମ ଚା’ ଉପରକୁ ଠେଲି ଦିଆଯାଇଛି । ଯୁବକଜଣକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ବିଡ଼ମ୍ବନାର ବିଷୟ; ପୁଲିସ ଅଭିଯୁକ୍ତ ଗିରଫ କରିବା ବଦଳରେ ଥାନାକୁ ଡକାଇ ପଚରାଉଚୁରା ପରେ ପୁଣି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ଗୁରୁତର ଯୁବକଜଣକ ବାଲେଶ୍ବର ସହର ଉପକଣ୍ଠ ଶିଳ୍ପାଞ୍ଚଳ ଥାନା ଗଣେଶ୍ବରପୁର ଅଞ୍ଚଳ ଜାରକାପଦା ଗ୍ରାମର ଉଦ୍ଧବ ଜେନା(୪୦) । ଅଭିଯୋଗ ମୁତାବକ; ରେମୁଣା ଗୋଲେଇରେ ଉଦ୍ଧବଙ୍କର ଏକ ଗ୍ୟାରେଜ୍‌ ଅଛି । ସେହି ଗ୍ୟାରେଜ୍‌ରେ କାମ କରିବା ପାଇଁ ଜାରକାପଦା ଗ୍ରାମର ରତିକାନ୍ତ ପାତ୍ର(୩୨) କିଛି ମାସ ପୂର୍ବରୁ ଉଦ୍ଧବଙ୍କୁ ଭେଟି ୨ ହଜାର ଟଙ୍କା ଧାର ନେଇଥିଲା । ସେହି କ୍ରମରେ କାମ କରି କିଛି ଟଙ୍କା ସୁଝି ଦେଇଥିବା ବେଳେ ଆଉ କିଛି ଟଙ୍କା ବାକିି ଥିଲା । ଯାହା ଦୀର୍ଘଦିନ ବିତିଯାଇ ଥିଲେ ମଧ୍ୟ ସେ ସୁଝିବା ନାଁ ଧରୁନଥିଲେ ।
ତେବେ ଗତ ଶୁକ୍ରବାର ଅପରାହ୍‌ଣ ୪ଟା ସମୟରେ ଅଭିଯୁକ୍ତ ରତିକାନ୍ତ ଜାରକାପଦା ଛକରେ ଥିବା ଉଦ୍ଧବଙ୍କ ବଡ଼ବାପାଙ୍କ ଚା’ ଦୋକାନରେ ଠିଆ ହୋଇଥିଲେ । ଏନେଇ ଖବର ପାଇବା ପରେ ଉଦ୍ଧବ ସେଠା‌କୁ ଯାଇ ରତିକାନ୍ତଙ୍କୁ ବାକି ଥିବା ତାଙ୍କ ଧାର ଟଙ୍କା କେବେ ସୁଝିବ ବୋଲି ମାଗିଥିଲେ । ଏତିକି କଥାରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା । ଏହାପରେ ଉତ୍‌କ୍ଷିପ୍ତ ହୋଇ ରତିକାନ୍ତ ସେଠାରେ ଚୁଲିରେ ଟକମକ ହୋଇ ଫୁଟୁଥିବା ଗରମ ଚା’ ପାତ୍ର ଉପରକୁ ଠେଲି ଦେଇଥିଲେ । ଉଦ୍ଧବଙ୍କ ପିଠି ଗରମ ଚା’ ଉପରେ ପଡ଼ିଯିବାରୁ ପ୍ରାଣ ବିକ‌ଳରେ ସେ ସେଠାରେ ପଡ଼ି ଚିତ୍କାର ଛାଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଛନ୍ତି । ଏବେ ‌ତାଙ୍କ ଅବସ୍ଥା ଗୁରୁତର ‌ଥିବା ବେଳେ ‌ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଥାନାକୁ ଆଣି ପୁଣି ଛାଡ଼ିଦେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଆହତ ଉଦ୍ଧବ ଘଟଣାର ଉପଯୁକ୍ତ ତଦନ୍ତ କରି ପୁଲିସ ତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୃଥକ୍‌ ପୃଥକ୍‌ ମାମଲା ମଧ୍ୟ ରୁଜୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ଜଣାଯାଇଛି ।

Leave a Reply

Your email address will not be published. Required fields are marked *