କନ୍ଧମାଳ : କନ୍ଧମାଳ ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତି ଜଣକ ସାଡୀଙ୍ଗିଆ ପଞ୍ଚାୟତ ଵନ୍ଦାଡ଼ଣୀ ଗାଁ ର ଇନ୍ଦ୍ରଜିତ କହଁର ବୋଲି ଜଣାପଡିଛି । ପୋଲିସର ସୂଚନା ଅନୁସାରେ ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ତାଙ୍କର ଆଉ ଜଣେ ସମ୍ପର୍କୀୟଙ୍କ ସହିତ କଟାପଙ୍ଗା ଗାଁ ରୁ ନିଜ ଗାଁ ଵନ୍ଦାଡ଼ଣୀ କୁ ଏକ ବାଇକରେ ଫେରୁଥିବା ସମୟରେ ବାଟରେ ରାସ୍ତା ଖରାପ ଥିବାରୁ ତାଙ୍କର ସମ୍ପର୍କୀୟଙ୍କୁ ବାଇକରୁ ଓହ୍ଲାଇ ଦେଇ ନିଜେ ବାଇକରେ ଯାଉଥିବା ସମୟରେ ରାସ୍ତା କଡରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସି ବାଇକ ସହ ଫୁଟିଯାଇଥିଲେ । ଖବରପାଇ ତାଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ଭଡା କରି ଚିକିତ୍ସା ପାଇଁ ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଓ ତାଙ୍କ ଶରୀରରେ ବିଭିନ୍ନ ଜାଗାରେ ଗଭୀର ଆଘାତ ହୋଇଥିବାରୁ ତାଙ୍କୁ ଫିରିଙ୍ଗିଆ ମେଡିକାଲ ରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୋଲିସ ଓ ସିଆରପିଏଫ ବାହିନୀ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଅନ୍ୟପଟେ ଠିକ ଏହି ଜାଗାରେ ଗତ ପଞ୍ଚାୟତ ନିର୍ବାଚନର କିଛିଦିନ ଆଗରୁ ମାଓବାଦୀ ରାସ୍ତା କାମ କରୁଥିବା ଏକ ଠିକାସଂସ୍ଥାର ଦୁଇଟି ମେସିନକୁ ପୋଡ଼ିଦେଇଥିବା ବେଳେ, ସେହି ସମୟରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଟି ଫୁଟି ସ୍ଥାନୀୟ ଗାଁ ର ଜଣେ ୨୪ ବର୍ଷୀୟ ଯୁବକ ପ୍ରାଣ ହରାଇଥିଲେ ।
