ବାହାଘର ଭୋଜିରେ ଭଡ଼ାରେ ଲାଗିଲା ନେତାଜୀ ଖେଳ ପଡ଼ିଆ

କଟକ : ନୂଆ ବଜାର ପୋତାପୋଖରୀ ଠାରେ ଥିବା ନେତାଜୀ ଖେଳ ପଡ଼ିଆ ପୁଣି ଭଡ଼ାରେ ଲାଗିଛି । ପୁଣି ସେଠାରେ ବାହାଘର ଭୋଜିଭାତ ଆୟୋଜନ ହୋଇଛି । କିନ୍ତୁ ଖେଳ ପଡ଼ିଆକୁ କେଉଁ ନିୟମ ଆଧାରରେ କିଏ କାହିଁକି ପୁଣି ଭୋଜିଭାତ ପାଇଁ ଅନୁମତି ଦେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ସିଏମ୍‌ସି ଖେଳ ପଡ଼ିଆକୁ ପୁଣି ବାହାଘର ମଣ୍ଡପରେ ପରିଣତ କରିବା ଘଟଣାକୁ ନେଇ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ୨ ବର୍ଷ ପୂର୍ବେ ସିଏମସି ଏହି ଖେଳ ପଡ଼ିଆକୁ ଭଡ଼ାରେ ଲଗାଇ ଖେଳ ଅନୁପଯୋଗୀ କରି ଦେଇଥିଲେ । ଏ ବାବଦରେ ଖବର ପ୍ରସାରଣ ପରେ ସିଏମସି ଏଥିରୁ ନିବୃତ ରହିଥିଲା । ଖେଳ ପଡ଼ିଆର ଉନ୍ନତିକରଣ ପାଇଁ ଚୌଦ୍ବାର-କଟକ ବିଧାୟକ ସୈାଭିକ ବିଶ୍ବାଳ ତାଙ୍କ ବିଧାୟକ ପାଣ୍ଠିରୁ ୮ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ନିୟମ କହୁଛି, ସରକାରୀ ଖେଳ ପଡ଼ିଆରେ ବାହାଘର ଅଥବା ପାର୍କିଂ ହୋଇପାରିବ ନାହିଁ । ଯେଉଁଠି ବିବାହ କିମ୍ବା ଅନୁରୂପ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ସେଠାରେ ସିସି କ୍ୟାମେରା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିବ। ଅଗ୍ନିଶମ ବିଭାଗର ଅନୁମତି ଥିବା । ଅଳିଆ ଆବର୍ଜନା ପଡିବା ପାଇଁ ଡଷ୍ଟବିନ୍ ଥିବ। ଟ୍ରାଫିକ ସମସ୍ୟା ନଥିବ । ନିକଟସ୍ଥ ଥାନାରୁ ଏଥିପାଇଁ ଅନୁମତି ଆଣିବାକୁ ପଡ଼ିବ। ଏହି ନିୟମ ମଣ୍ଡପ ଓ ସାଧାରଣ ସ୍ଥାନ ପାଇଁ ରହିଛି । କିନ୍ତୁ ଏହି ଖେଳ ପଡିଆରେ ବାହାଘର ଭୋଜି ଆୟୋଜନ ପାଇଁ ସିଏମସି କେଉଁ ନିୟମ ଆଧାରରେ ଅନୁମତି ଦେଇଛି ତାହା ଏବେ ବିତର୍କର ପ୍ରଶ୍ନ ହୋଇଛି ।

ପୂର୍ବରୁ ଖେଳ ପଡ଼ିଆରେ ବାହାଘର ଭୋଜି ଆୟୋଜନକୁ ନେଇ ବିଭିନ୍ନ ମହଲରେ ବିରୋଧ ହେବା ପରେ କଟକ ଡିସିପି ପ୍ରତୀକ ସିଂ ଖେଳ ପଡ଼ିଆରେ ବାହାଘର କିମ୍ବା ଅନ୍ୟ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ । କିନ୍ତୁ ଏଠାରେ ଚାଉଳିଆଗଞ୍ଜ ଥାନା ପୁଲିସ କିପରି ବାହାଘର ଭୋଜି ପାଇଁ ଅନୁମତି ଦେଲା ? ସ୍ଥାନୀୟ ଅଞ୍ଚଳରେ ଭଲ ଖେଳ ପଡିଆ ନାହିଁ । ୱାର୍ଡ ନ°୫୫, ୫୪ ଓ ମହାନଦୀ ବିହାରର ଯୁବକଯୁବତୀ ଏଠାରେ ନିୟମିତ ଖେଳିଥାନ୍ତି । ବରିଷ୍ଠ ନାଗରିକମାନେ ସକାଳ ଓ ସନ୍ଧ୍ୟାରେ ପଡ଼ିଆରେ ଚଲାବୁଲା କରିଥାନ୍ତି । ସରକାର କ୍ରୀଡାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସିଏମସି ଏହି ଖେଳ ପଡିଆକୁ କ୍ରୀଡାର ବିକାଶ ବଦଳରେ ଭୋଜିଭାତ ପାଇଁ ଭଡ଼ା ଦେବା ଉଦ୍‌ବେଗର କାରଣ ହୋଇଛି । ଏ ସଂପର୍କରେ ମେୟର ସୁବାସ ସିଂ କହିଛନ୍ତି ଯେ ସେ ଏ ବିଷୟରେ ଜାଣି ନାହାନ୍ତି । ଆସନ୍ତାକାଲି ଏ ବିଷୟରେ ତଦନ୍ତ କରିବେ । ନିୟମ ଖିଲାପ ହୋଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

Leave a Reply

Your email address will not be published. Required fields are marked *