ବରଗଡ଼ : ଦିନ ଦ୍ଵିପହର ସମୟ, ନଦୀରେ ପଶିଛି ମାଳ ମାଳ ହାଇୱା, ଟ୍ରକ ଓ ଟ୍ରାକ୍ଟର । ନଦୀ ଗର୍ଭରୁ ଜେସିିବି ଖୋଳି ଚାଲିଛି ଟନ୍ ଟନ୍ ବାଲି । ଆଉ ଗୋଟିଏ ପରେ ଗୋଟିଏ ଗାଡି ଲୋଡ ହୋଇ ନିର୍ଭୟରେ ବାହାରି ଚାଲିଛନ୍ତି । ଏ ହେଉଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜୋଙ୍କ ଓ ଅଙ୍ଗ ନଦୀରେ ଥିବା ବଡ଼ଅନକୀ, ବଲାଙ୍ଗୀର, ଚିରୋଲି, ଓ ଲେରଗାଁ ବାଲି ଘାଟର ଦୃଶ୍ୟ । ନଦୀ ପଠାରୁ ପଡୋଶୀ ରାଜ୍ୟ ଛତିଶଗଡକୁ ହେଉଛି ବାଲି ଚୋରା ଚାଲାଣ । ଏହି ବାଲିଘାଟଗୁଡିକ ଛତିଶଗଡ ସୀମାରେ ଥିବାରୁ ଏହାର ସୁଯୋଗ ନେଇ ବାଲି ମାଫିଆମାନେ ଦିନ ରାତି କରୁଛନ୍ତି ଚୋରା ଚାଲାଣ ।
ତେବେ କେବଳ ବରଗଡ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ । ହେଉଛି ଖୋଦ ରାଜସ୍ଵ ମନ୍ତ୍ରୀଙ୍କ ଜିଲ୍ଲା ମୟୁରଭଞ୍ଜର ଦୃଶ୍ୟ । ବଡ଼ସାହି ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ନଦୀର ଆରପଟା ଡିଙ୍ଗିରା ଘାଟରେ ଟନ ଟନ ବାଲି ଲୁଟୁଥିଲେ ଲୁଟେରା । ହେଉଥିଲା ପରିବେଶ ଆଇନର ଖୋଲାଖୋଲି ଉଲ୍ଲଂଘନ । ବାଲି ଖାଦାନର ଅବଧି ସରିଯାଇଥିଲେ ବି ଉଠା ହେଉଥିଲା ଟ୍ରକ୍ ଟ୍ରକ୍ ବାଲି । ଚୂପ୍ ବସିଥିଲେ ସରକାରୀ ଅଧିକାରୀ । ଗ୍ରୀନ ଟ୍ରିବ୍ୟୁନାଲଙ୍କ ଛାଟ ପରେ ଏବେ ସରଜମିନ ତଦନ୍ତ ଆରମ୍ଭ କରିଛି ପରିବେଶ ଇମ୍ପ୍ୟାକ୍ଟ କମିଟି । ସେପଟେ ନବରଙ୍ଗପୁର ଜିଲ୍ଲାରେ ବି ସମାନ ଚିତ୍ର । ଡାବୁଗାଁ ବ୍ଲକରେ ନଦୀରୁ ବାଲି ମାଫିଆମାନେ ଜେସିବି ଲଗାଇ ବାଲି ଉଠାଉଛନ୍ତି ।
ତେବେ ନଦୀ ସରୁକ୍ଷା ପାଇଁ ବେଆଇନ ବାଲି ଖନନ ଓ ଚୋରା ଚାଲାଣକୁ ରୋକିବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି । ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ପକ୍ଷରୁ ବସିଛି ଗୁରୁତ୍ଵପୂର୍ଣ୍ଣ ବୈଠକ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ନଦୀ ସୁରକ୍ଷା ସମିତି ସଭାପତି ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଛନ୍ତି । ଓଡିଶାରେ ରାଜ୍ୟ ସରକାର ସମସ୍ତ ନଦୀର ପାଣିକୁ କଳ କାରଖାନା ମାଲିକମାନଙ୍କ ହାତରେ ଟେକି ଦେଇଛନ୍ତି ।
ନଦୀଗୁଡ଼ିକର ବାଲିକୁ ବାଲି ମାଫିଆମାନଙ୍କ ଦ୍ଵାରା ସରକାରୀ ଦଳର ମନ୍ତ୍ରୀ, ବିଧାୟକ, ନେତାମାନେ ଖୁଲମଖୁଲା ଭାବରେ ଲୁଟ କରୁଛନ୍ତି । ଆଉ ଏହାକୁ ବିରୋଧ କଲେ ଗୁଣ୍ଡା ଲଗାଇ ଆକ୍ରମଣ କରାଯାଉଛି । ତେଣୁ ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ପକ୍ଷରୁ ନଦୀଗୁଡ଼ିକର ସୁରକ୍ଷା ପାଇଁ ବ୍ୟାପକ ଆନ୍ଦୋଳନ କରିବା ସହ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ଵାରସ୍ଥ ହେବ ଦଳ ।
ରାଜ୍ୟର ବିଭିନ୍ନ ନଦୀରୁ ପ୍ରତିଦିନ ବେଆଇନ ଭାବେ ଲୁଟ ହେଉଛି ହଜାର ହଜାର ଟନର ଧଳା ହୀରା । ବାଲି ଚୋରା ଚାଲାଣ ପଛରେ ମନ୍ତ୍ରୀ ତଥା ଶାସକ ଦଳର ବିଧାୟକ ଓ ନେତାଙ୍କ ସଂପୃକ୍ତିର ଅଭିଯୋଗ ମଧ୍ୟ ଆସୁଛି । କିନ୍ତୁ ଆଜି ଯାଏଁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ବାଲି ଲୁଟକୁ ରୋକିବାରେ ମଧ୍ୟ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।
